fbpx

ଆରସିବିକୁ ବଡ ଝଟକା, ଦ୍ୱିତୀୟ ପର୍ଯ୍ୟାୟ ଖେଳିବେ ନାହିଁ ଏହି ଭାରତୀୟ ଖେଳାଳି, ଟି-୨୦ ବିଶ୍ୱ କପ ଖେଳିବା ନେଇ ମଧ୍ୟ ସନ୍ଦେହ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ଦଳ ଆରସିବିକୁ ଲାଗିଛି ବଡ ଝଟକା । ଦଳର ତାରକା ଯୁବ ବୋଲର ୱାଶିଂଟନ ସୁନ୍ଦର ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କର ଆଗାମୀ ଟି-୨୦ ବିଶ୍ୱ କପ୍ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି । ଉଲ୍ଲେଖନୀୟ ଇଂଲଣ୍ଡରେ ୨୧ବର୍ଷୀୟ ଏହି ଭାରତୀୟ ବୋଲରଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଏ ପର୍ଯ୍ୟନ୍ତ ଠିକ୍ ହୋଇ ନାହିଁ । ଏହା ବ୍ୟତୀତ ସେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଫିଟନେସ୍ ଟେଷ୍ଟ ପାସ୍ କରି ପାରି ନାହାନ୍ତି ।

ଆଇପିଏଲ ଫ୍ରାଞ୍ଚାଇଜି ନିଜର ପ୍ରେସ ବିବୃତିରେ କହିଛି ଯେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା କାରଣରୁ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନରେ ପଶ୍ଚିମବଙ୍ଗର କ୍ରିକେଟ୍ ଖେଳାଳି ଆକାଶଦୀପଙ୍କୁ ଦଳରେ ସାମିଲ୍ କରାଯାଇଛି । ଅନ୍ୟପଟେ ୱାଶିଂଟନ ସୁନ୍ଦର କିଛି ଦିନ ପୂର୍ବେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଏକ ଫିଟନେସ୍ ଟେଷ୍ଟରେ ସାମିଲ୍ ହୋଇଥିଲେ । ମାତ୍ର ସେ ଫିଟନେସ୍ ଟେଷ୍ଟ ପାସ୍ କରି ପାରି ନାହାନ୍ତି । ଏବେ ତାଙ୍କର ଟି-୨୦ ବିଶ୍ୱ କପ୍ ଖେଳିବା ନେଇ ମଧ୍ୟ ସଂଶୟ ରହିଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ରୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମୁକାବିଲା ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ତିନି ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଆଇପିଏଲର ଅବଶିଷ୍ଟ ୩୧ ମୁକାବିଲା ୨୭ ଦିନ ଦୁବାଇ, ସାରଜା ଓ ଅବୁଧାବିରେ ଖେଳାଯିବ । ଅନ୍ୟପଟେ ଟି-୨୦ ବିଶ୍ୱ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ବେଳେ ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ ।

Get real time updates directly on you device, subscribe now.