Big Breaking: ଆଜି ସୁପ୍ରିମକୋର୍ଟରେ ଐତିହାସିକ ‘୩୭୦’ ରାୟ, ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ‘୩୭୦’ ଧାରା ଉଚ୍ଛେଦ ନେଇ ଆସିବ ରାୟ । ଜାମ୍ମୁ କାଶ୍ମୀରରେ ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦ ନେଇ ଆଜି ସୁପ୍ରିମ କୋର୍ଟରେ ରାୟ ଶୁଣାଣି ହେବ । ତେବେ ଏ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ବୋଲି ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଛେଦ କରାଯାଇଥିବା ଏହି ଆଇନର ବୈଧତା ନେଇ ଏହି ରାୟ ଶୁଣାଯିବ । ତେବେ ଏହାର ଉଚ୍ଛେଦର ବୈଧତା ନେଇ NC ଏବଂ PDP ସମେତ ଏକାଧିକ ପକ୍ଷ ଏକ ପିଟିସନ ଦାଖଲ କରିଥିଲେ । ତେଣୁ ଏହି ପିଟିସନ ଆଧାରରେ ଏହି ଉଚ୍ଛେଦ ନିଷ୍ପତ୍ତିର ବୈଧତା ପାଇଁ ଆଜି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇବେ । ତେବେ ଏଥିରେ ୩୭୦ ଉଚ୍ଛେଦ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନକୁ ଚ୍ୟାଲେଞ୍ଜ କରାଯାଇଥିବା ସୂଚନା ମିଳିଛି ।

୨୦୧୮ ମସିହା ଡିସେମ୍ବର ୧୯ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବାକୁ ଘୋଷଣା କରିଥିଲେ। ତେବେ ଏହି ଘୋଷଣାକୁ ସଂସଦରେ ଉଭୟ ଗୃହ ପକ୍ଷରୁ ସ୍ୱୀକୃତି ମିଳିଥିଲା । ପରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୬୭ ଧାରାକୁ ସଂଶୋଧନ କରି ଧାରା ୩୭୦ (୩) ଅନୁଯାୟୀ ‘ସମ୍ବିଧାନ ସଭା’ ପରିଭାଷାକୁ ‘ବିଧାନସଭା’ କୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ, ସ୍ୱତନ୍ତ୍ର ପତାକା ଏବଂ ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ଚାଲିଆସିଥିଲା ।

ତେବେ ଶେଷରେ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ‘ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯’ ବିଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା ଏବଂ ସେହି ଦିନ ଏହା ପାରିତ ହୋଇଥିଲା। ଏହା ପରେ ଏହା ୬ ଅଗଷ୍ଟ ୨୦୧୯ ରେ ଲୋକସଭା ଦ୍ୱାରା ପାରିତ ହୋଇଥିଲା ଏବଂ ଏହା ୯ ଅଗଷ୍ଟ ୨୦୧୯ ରେ ରାଷ୍ଟ୍ରପତିଙ୍କ ସହମତି ଲାଭ କରିବା ପରେ ଜାମ୍ମୁ କାଶ୍ମୀରରୁ ଏହି ସ୍ୱତନ୍ତ୍ର ମାନ୍ୟତାକୁ ଉଚ୍ଛେଦ କରାଯାଇଥିଲା ।

ଏହା ସହିତ ଏହି ସହଶୋଧିତ ଆଇନରେ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ପୁନର୍ଗଠନ ସଂଘ ପରିସରରେ ପର୍ୟ୍ୟଟନ, ବିକାଶ ଏବଂ ଶିଳ୍ପକୁ ବୃଦ୍ଧି କରାଯିବ।

୨୦୧୯ ମସିହା ଅଗଷ୍ଟ ୨୮ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ପୂର୍ବତନ ପ୍ରଧାନ ବିଚାରପତି ଏସ ବବଡେ ଏବଂ ଜଷ୍ଟିସ ଅବଦୁଲ ନାଜିରଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ଆଦେଶର ସାମ୍ବିଧାନିକତା ଉପରେ ଯୁକ୍ତି ଶୁଣିବା ଆରମ୍ଭ କରିଥିଲେ। ଦୁଇ ଦିନ ବିତର୍କ ପରେ ବେଞ୍ଚ ଏହାକୁ ଅଧିକ ବିଚାର ପାଇଁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯାଇଥିଲା ।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ- ଏ ନେଇ ଶୁଣାଣି ୨୦୨୩ ମସିହା ଅଗଷ୍ଟ ୨ ତାରିଖରେ ଆରମ୍ଭ ହେବ। ଧାରା ୩୭୦ ଉଚ୍ଛେଦ କରିବାକୁ ଚ୍ୟାଲେଞ୍ଜ କରୁଥିବା ୨୨ ଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ ହୋଇଛି।