ଦାନାକୁ ନେଇ ବଡ ଅପଡେଟ୍; ସୃଷ୍ଟି ହେବନି ବାତ୍ୟାର ଆଖି, ଲ୍ୟାଣ୍ଡଫଲ ପରେ ଟିକେ ମୋଡିବ ବାତ୍ୟାର ଗତିପଥ

ଭୁବନେଶ୍ବର: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ 200 କିଲୋମିଟର ଦୂରରେ ରହିଛି । ଏହା ପ୍ରଭାବରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଏହି 3 ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେବେ କେନ୍ଦ୍ରସ୍ଥଳୀରେ ପବନର ବେଗ 95ରୁ 105 କିମି ରହିଥିବା ନେଇ ସେ କହିଛନ୍ତି । ଆଜି ରାତି କିମ୍ବା ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି । ଯଦି ପବନର ବେଗ କଥା ଦେଖିବା ତାହେଲେ ଖୋର୍ଦ୍ଧା, ପୁରୀରେ 60ରୁ 80 କିଲୋମିଟର ବେଗରେ ପବନ ବହିବ । ସେହିପରି ମୟୂରଭଞ୍ଜରେ ମଧ୍ୟ ପବନର ବେଗ 80 କିଲୋମିଟର ରହିବ । ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଆଜି ଏବଂ କାଲି ପ୍ରବଳକୁ ଅତିପ୍ରବଳ ବର୍ଷା ହୋଇପାରେ ।

ଅନ୍ୟପଟେ 1ରୁ 2 ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି କେନ୍ଦ୍ରାପଡା ଏହଂ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ । ଏହି ଜିଲ୍ଲାଗୁଡିକର ନଦୀରେ ମଧ୍ୟ ଜୁଆର ଆସିପାରେ । ନଦୀରେ ପ୍ରାୟ 3 ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭବନା ରହିଛି ।  ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦାନାକୁ ନେଇ ବଡ ଅପଡେଟ୍ ପ୍ରଦାନ କରିଛନ୍ତି । ତେବେ ବାତ୍ୟାର ଆଖି ସୃଷ୍ଟି ହୋଇନି । ବହୁତ ବଡ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ଦାନା ଭୀଷଣ ବାତ୍ୟାରେ ସୀମିତ ରହିଥିବା କାରଣରୁ ଆଖି ହୋଇନାହିଁ । ପୂର୍ବାନୁମାନ ଅନୁସାରେ, ବାତ୍ୟାର ତୀବ୍ରତା ରହିବ ଆଉ ବଢିବ ନାହିଁ । ଲ୍ୟାଣ୍ଡଫଲ ପରେ ଟିକେ ବଙ୍କା ହୋଇପାରେ ବାତ୍ୟାର ଗତିପଥ । ଆକଳନ ଅନୁସାରେ, ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । 24 ଏବଂ 25 ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି ।