fbpx

କମଲନାଥ କଂଗ୍ରେସ ଛାଡ଼ିବା ଚର୍ଚ୍ଚାକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ନେଇ ଜାତୀୟ ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି । କମଲନାଥ ତାଙ୍କ ପୁଅ ସାଂସଦ ନକୁଲନାଥଙ୍କ ସହିତ ବିଜେପିରେ ସାମିଲ ହୋଇ ପାରିନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । କମଲନାଥ କଂଗ୍ରେସ ଛାଡ଼ିବେ କି ଛାଡ଼ିବେନି ସେନେଇ ଏକପ୍ରକାର ସ୍ପଷ୍ଟ ସୂଚନା ସାମ୍ନାକୁ ଆସିଛି ।

ଏନେଇ କମଲନାଥଙ୍କ ନିକଟତମ ସହଯୋଗୀ ସଜ୍ଜନ ବର୍ମା କହିଛନ୍ତି, କମଲନାଥ ରାହୁଲ ଗାନ୍ଧିଙ୍କ ସହିତ କଥାବାର୍ତ୍ତା କରିଛନ୍ତି । କମଲନାଥ କାଲି କଂଗ୍ରେସରେ ଥିଲେ, ଆଜି କଂଗ୍ରେସରେ ଅଛନ୍ତି, ଆସନ୍ତାକାଲି ମଧ୍ୟ କଂଗ୍ରେସରେ ରହିବେ । ମାତ୍ର ତା’ପରଦିନ କଥା ମୁଁ କହିପାରିବିନି । ମୁଁ କମଲନାଥଙ୍କ ସହିତ ଦୀର୍ଘ ୪୦ ବର୍ଷ ଧରି ରହିଆସିଛି । ତାଙ୍କର ଗାନ୍ଧି ପରିବାର ସହିତ ଭଲ ସମ୍ପର୍କ ରହିଛି । ଲୋକଙ୍କ ମଧ୍ୟରେ କୌଣସି ପ୍ରକାର ଭ୍ରାନ୍ତ ଧାରଣା ସୃଷ୍ଟି ନ କରିବା ପାଇଁ ମୁଁ କମଲଙ୍କ ସହିତ ଆଲୋଚନା କରିବି ।

ସେହିପରି କମଲନାଥ କଂଗ୍ରେସ ଛାଡ଼ିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମଧ୍ୟପ୍ରଦେଶର ପ୍ରଦେଶ ଅଧ୍ୟକ୍ଷ ଜିତୁ ପଟୱାରୀ । ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କମଲନାଥଙ୍କୁ ନିଜର ତୃତୀୟ ପୁତ୍ର ବୋଲି କହିଥିଲେ । ଇନ୍ଦିରାଙ୍କ ଜଣେ ପୁଅ କେବେ ବି ଭାଜପାରେ ସାମିଲ ହେବାର ସ୍ୱପ୍ନ କେମିତି ଦେଖି ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା କମଲନାଥଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଦୀପକ ସକ୍ସେନା କହିଛନ୍ତି, ବିଧାନସଭା ନିର୍ବାଚନରେ ପରାଜୟ ପରେ କମଲନାଥଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ସେନେଇ କମଲନାଥ ଅସନ୍ତୁଷ୍ଟ ରହିଛନ୍ତି । ତେଣୁ ତାଙ୍କୁ ପୂରା ସମ୍ମାନ ମିଳୁ ଏହା ଆମେ ଚାହୁଁଛୁ ।

Get real time updates directly on you device, subscribe now.