fbpx

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶା ଫେରିବ, ଟେଣ୍ଡର ଆହ୍ୱାନ କଲା ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶାକୁ ଫେରିବ । ଦୀର୍ଘ ବର୍ଷ ଧରି ଡାକୋଟା କୋଲକତାରେ ରହିଥିଲା । ଡାକୋଟା ଫେରିବା ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହେଉଥିଲା ବେଳେ ଏବେ ଉକ୍ତ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ରାଜ୍ୟ ପରିବହନ ବିଭାଗ ବିଜୁଙ୍କ ପ୍ରିୟ ବିମାନକୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଟେଣ୍ଡର ଡାକିଛି ।

ତେବେ କୋଲକତା ବିମାନବନ୍ଦରରେ ପଡ଼ି ରହିଥିବା ଡାକୋଟା (ଡିସି-୩) ବିମାନକୁଖୋଲି ତା’ର ଯନ୍ତ୍ରପାତି ଓ ବିଭିନ୍ନ ଅଂଶକୁ ଅଲଗା କରି ଭୁବନେଶ୍ୱରକୁ ଅଣାଯିବ । ବିମାନକୁ ଫେରାଇ ଆଣିବା ପାଇଁ ଯେଉଁ ସଂସ୍ଥା ଟେଣ୍ଡର ନେବ, ସେ ଏହି ସମସ୍ତ କାର୍ଯ୍ୟ କରିବ । ତେବେ ଡାକୋଟା ଭୁବନେଶ୍ୱରକୁ ଫେରିବା ପରେ ପୁନର୍ବାର ତା’ର ସମସ୍ତ ପାର୍ଟସକୁ ଯୋଡ଼ା ଯାଇ ବିମାନକୁ ପୁଣି ଛିଡ଼ା କରାଯିବ । ଯଦି କୌଣସି ଅଂଶ ଖରାପ ଥିବ, ତେବେ ନୂଆ ପାର୍ଟସ ଲଗାଯିବ ।

ତେବେ ରାଜ୍ୟ ପରିବହନ ବିଭାଗ ବିଭାଗ ପକ୍ଷରୁ ଡକାଯାଇଥିବା ଟେଣ୍ଡର ଆହ୍ୱାନର ଅନ୍ତିମ ତାରିଖ ଆସନ୍ତା ୩୦ ତାରିଖ ରହିଛି । ଏନେଇ ଏକ ବୈଠକ କରାଯାଇ ବିମାନକୁ କିପରି ଖୋଲି ଭୁବନେଶ୍ୱର ଅଣାଯିବ, ସେନେଇ ଆବେଦନକାରୀ କମ୍ପାନୀମାନେ ଉପସ୍ଥାପନା ରଖିବେ । ତେବେ ବିମାନକୁ ସଡ଼କ ପଥରେ ଅଣାଯିବାର ସମ୍ଭାବନା ରହିଛି ।

ଡାକୋଟା ଭୁବନେଶ୍ୱରକୁ ଆସିବା ପରେ ବିମାନବନ୍ଦର ନିକଟରେ ଥିବା ଗୋଲେଇ ଛକରେ ବିଜୁଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ଖାଲି ଜାଗାରେ ତାହାକୁ ରଖାଯିବ । ତେବେ ବିଜୁ ବାବୁ ଜଣେ ସାହସୀ ପାଇଲଟ ଥିଲେ । ଡାକୋଟା ସହିତ ତାଙ୍କର ସମ୍ପର୍କ ଅତି ନିବିଡ଼ ଥିଲା । ଓଡ଼ିଶାରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ତାଙ୍କର ବୀରତ୍ୱର ଗାଥା ପରିବ୍ୟାପ୍ତ । ଏବେ ଡାକୋଟା କହିବ ବିଜୁଙ୍କ ବୀରତ୍ୱର କାହାଣୀ । ବହୁ ବର୍ଷ ଧରି ବର୍ଷା କାକରରେ ପଡ଼ି ରହିଥିବା ଡାକୋଟା ଏଣିକି ଓଡ଼ିଶାରେ ସୁରକ୍ଷିତ ଭାବେ ରହିବ । ଡାକୋଟାକୁ ଦେଖିବାକୁ ବହୁ ବିଜୁପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.