fbpx

ଅଜିତ ଡୋଭାଲଙ୍କ ଟିମ୍ ରେ ସାମିଲ ହେଲେ ବିକ୍ରମ ମିସରୀ: ସମ୍ଭାଳିବେ ଡେପୁଟି NSA ଦାୟିତ୍ୱ

ନୂଆଦିଲ୍ଲୀ: ବିକ୍ରମ ମିସରୀଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ନୂଆ ନିଯୁକ୍ତି । ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଦାୟିତ୍ୱ ସମ୍ଭାଳିବେ ବିକ୍ରମ ମିସରୀ । ବିକ୍ରମ ମିସରୀଙ୍କ ସ୍ଥାନରେ ଚୀନରେ ରାଷ୍ଟ୍ରଦୂତ ଭାର ସମ୍ଭାଳିବେ ପ୍ରଦୀପ ରାୱତ୍ ।

ବର୍ତ୍ତମାନ ଡେପୁଟୀ ଜାତୀୟ ପରାମର୍ଶଦାତା ଭାବରେ ଥିବା ୧୯୮୯ ବ୍ୟାଚର ଆଇଏଫଏସ ପଙ୍କଜ ଶରଣଙ୍କ ସ୍ଥାନରେ ଦାୟିତ୍ୱ ନେବେ ବିକ୍ରମ ମିସରୀ । ପଙ୍କଜ ଶରଣ ୩୧ ଡିସେମ୍ବରରେ ବିଦାୟ ନେବେ । ଶରଣ ପୂର୍ବରୁ ଋଷରେ ଭାରତର ରାଷ୍ଟ୍ରଦୂତ ଭାବରେ ରହିଥିଲେ ।

ବିକ୍ରମ ମିସରୀ ପୂର୍ବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିସାରିଛନ୍ତି ଏବଂ ଇଣ୍ଡୋ ପାସିଫିକ୍ ପରିସ୍ଥିତି ସହ ପରିଚିତ ମଧ୍ୟ ଅଛନ୍ତି । ଡେପୁଟୀ ଏନଏସଏ ନିଯୁକ୍ତ କରାଯିବାପରେ ସେ ଏବେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ରିପୋର୍ଟ କରିବେ ।

ଡିସେମ୍ବରରେ ବିକ୍ରମ ମିସରୀ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ବିଦାୟକାଳୀନ ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ସେ କହିଥିଲେ ଦ୍ୱିପାକ୍ଷିକ ସମ୍ପର୍କର ବିପୁଳ ସୁଯୋଗ ରହିଛି କିନ୍ତୁ କିଛି କଥା ଉପରେ ନକରାତ୍ମକ ପ୍ରଭାବ ପଡ଼ିଛି । ତେବେ ନିରନ୍ତର କଥାବାର୍ତ୍ତା ମାଧ୍ୟମରେ ଉଭୟ ପକ୍ଷ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଗତ କିଛି ମାସ ଧରି ଲାଗିରହିଛି । ବିବାଦକୁ ଶେଷ କରିବାକୁ ଅନେକ ରାଉଣ୍ଡ ବୈଠକ ମଧ୍ୟ ହୋଇଛି ।

Get real time updates directly on you device, subscribe now.