fbpx

୫୦୦ ଘର, ୮୦୦ ଗଛକୁ ନଷ୍ଟ କରିଦେଇଛି ବାତ୍ୟା ‘ବିପର୍ଯ୍ୟୟ’: ଅନ୍ଧାରରେ ୧୦୦୦ରୁ ଅଧିକ ପରିବାର

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଧିରେ ଧିରେ କମ୍ ହେବାରେ ଲାଗିଛି । ଏହାପରେ ବର୍ତ୍ତମାନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି । ଏନଡିଆରଏଫ ତରଫରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟା ଯୋଗୁଁ କୌଣସି ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇନାହିଁ । ତେବେ ଝଡ ତୋଫାନ ଯୋଗୁଁ ପ୍ରାୟ ୮୦୦ ଗଛ ଉପୁଡି ଯାଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଏନଡିଆରଏଫ ଡିଜି ଅତୁଲ କରୱାଲ ଏ ନେଇ ସୂଚନା ଦେଇଛନ୍ତି ।

ଅତୁଲ କରୱାଲ କହିଛନ୍ତି ଯେ, ବାତ୍ୟା ଲାଣ୍ଡଫଲ କରିବା ପୂର୍ବରୁ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲେ ହେଁ ଏହାପରେ କେହି ବ୍ୟକ୍ତି ପ୍ରାଣ ହରାଇ ନାହାନ୍ତି । ତେବେ ବାତ୍ୟା ଯୋଗୁଁ ୫୦୦ ଘର ଭାଙ୍ଗିଯାଇଥିବା ବେଳେ ପ୍ରାୟ ୮୦୦ରୁ ଅଧିକ ଗଛ ଉପୁଡିଯାଇଛି ଏବଂ ୨୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏହାପରେ ସେ ପ୍ରକାଶ କରିଛନ୍ତି ଯେ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନରେ ମଧ୍ୟ ଏନଡିଆରଏଫ ଟିମ୍ ପଠାଯାଇଛି । କାରଣ ଏଠାରେ ଭୀଷଣ ବର୍ଷା ହେବା ନେଇମଧ୍ୟ ଆଶଙ୍କା କରାଯାଉଛି । ତେବେ ବାତ୍ୟାର ପ୍ରଭାବ ଧିରେ ଧିରେ କମ୍ ହେଉଥିଲେ ମଧ୍ୟ କଚ୍ଛ ଏବଂ ଅନଞ ଅଞ୍ଚଳରେ ପ୍ରାୟ ୭୦ କି.ମି ବେଗରେ ପବନ ବହୁଥିବା ଦେଖାଯାଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଗୁଜୁରାଟ ପରେ ରାଜସ୍ଥାନ ଆଡକୁ ମୁହାଁଇଛି ବାତ୍ୟା ‘ବିପର୍ଯ୍ୟୟ’ । ଏହାର ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨ ଦିନ ଏଠାରେ ପରିସ୍ଥିତି ସମାନ ରହିବ । ଗତ ସନ୍ଧ୍ୟା ସାଢେ ୬ଟାରେ ଗୁଜୁରାଟରେ ଲାଣ୍ଡଫଲ କରିଥିଲା ‘ବିପର୍ଯ୍ୟୟ’ । ଏହି ବାତ୍ୟା ଯୋଗୁଁ ପବନର ବେଗ ୧୧୫-୧୨୫ କି.ମି. ପର୍ଯ୍ୟନ୍ତ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.