ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର ପ୍ରବାସୀ ଭାରତୀୟ, ଅତିଥି ପକ୍ଷୀଙ୍କ ପାଇଁ ବାର୍ଡ ମ୍ୟୁଜିୟମ ହେବ କହିଲେ ଉପମୁଖ୍ୟମନ୍ତ୍ରୀ
ବିଦେଶାଗତ ପକ୍ଷୀଙ୍କ ପାଇଁ ବାର୍ଡ ମ୍ୟୁଜିୟମ । ଚିଲିକା ବିହଙ୍ଗ ମହୋତ୍ସବରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆରମ୍ଭ ହୋଇଛି ଚିଲିକା ବିହଙ୍ଗ ମହୋତ୍ସବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଉଦଘାଟନ କରିବା ସହିତ ବଡ ଘୋଷଣା କରିଛନ୍ତି । ଅତିଥି ପକ୍ଷୀଙ୍କ ପାଇଁ ଓଡିଶାରେ ବାର୍ଡ ମ୍ୟୁଜିୟମ ହେବ ବୋଲି ସେ କହିଛନ୍ତି ।
ଓଡିଶାରେ ହେବ ବାର୍ଡ ମ୍ୟୁଜିୟମ: ବାର୍ଡ ମ୍ୟୁଜିୟମ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟନ ବିଭାଗ ଚିଲିକା ଡେଭଲପମେଣ୍ଟ ଅଥରିଟି ସହିତ ଆଲୋଚନା କରିଛି । ବରକୂଳ ନା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ଲାନିଂ ଚାଲିଛି ।
ଭୁବନେଶ୍ବରରେ ଆସନ୍ତା 8 ତାରିଖରୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ଓଡିଶାକୁ ଉପସ୍ଥାପନା କରିବାରେ ଏହା ଏକ ବଡ ସୁଯୋଗ । ସେହିପରି ନଳବଣକୁ ଆସୁଥିବା ପକ୍ଷୀଙ୍କ ସ୍ବାଗତ ପାଇଁ ମଧ୍ୟ ଆମେ ସେତିକି ପ୍ରସ୍ତୁତ ରହିଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ : ପ୍ରବାସୀ ଭାରତୀୟ ଦିବସକୁ ନଜରରେ ରଖି ଉଦଘାଟିତ ହୋଇଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସେଡର । ଆସନ୍ତା 8ରୁ 10 ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ଉପଭୋଗ କରିପାରିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଭଳି ହେବା ଦ୍ୱାରା ବିଶ୍ୱରେ ଚିଲିକାର ବହୁଳ ପ୍ରଚାରପ୍ରସାର ହୋଇପାରିବ।