ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଝଟକା, ବିଜେପିକୁ ସମର୍ଥନ କରିବେ ବିଜେଡି ଏବଂ ଓ୍ଵାଇଏସଆର !

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧରେ ପ୍ରସ୍ତୁତିରେ ଜୁଟିଥିବା ବିରୋଧୀ ଦଳକୁ ଝଟକା ଲାଗିପାରେ। କାରଣ ଦୁଇ ଅଣ ବିଜେପିଶାସିତ ରାଜ୍ୟର ପାର୍ଟି କେନ୍ଦ୍ର ସରକାରଙ୍କ ବିରୋଧରେ ଯିବାକୁ ଚାହାନ୍ତି ନାହିଁ। ଏହି ଦୁଇ ଦଳ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ସମର୍ଥନ ଦେଇ ପାରନ୍ତି। ତେବେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ହିଁ ପାର୍ଟିଗୁଡିକର ଆଭିମୁଖ୍ୟ କଣ ରହିବ ଜଣାପଡିବ। ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ଏହି ଦୁଇ ଦଳ ହେଉଛନ୍ତି ଓଡିଶାର ଶାସକ ବିଜୁ ଜନତା ଦଳ ଏବଂ ଆନ୍ଧ୍ର ପ୍ରଦେଶର ଓ୍ଵାଇଏସଆରସିପି।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଓଡିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ଶାସକ ବିଜୁ ଜନତା ଦଳ ଏବଂ ଆନ୍ଧ୍ର ପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ଓ୍ଵାଇଏସଆରସିପି ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିରୋଧରେ ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ନବୀନ ପଟ୍ଟନାୟକ କଦାପି ବିଜେପି ବିରୋଧରେ ଯିବାକୁ ଚାହିଁବେ ନାହିଁ। କାରଣ ଏହି ଦୁଇ ପାର୍ଟିଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି। ବିଜେଡି କେବେ ବି ଜାତୀୟସ୍ତରରେ ହେଉ କି ସଂସଦରେ ହେଉ ବିଜେପିକୁ ବିରୋଧ କରି ନାହିଁ। ଏହା ବିଜେଡିର ବାଧ୍ୟବାଧକତା ହୋଇଥାଇପାରେ।

ବିରୋଧୀ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ଏହି ଦୁଇ ଦଳ କୌଣସି ପ୍ରକାରର ଶାସକ ବିଜେପି ସହ ମୁହାଁମୁହିଁ ହେବାକୁ ଚାହାନ୍ତି ନାହିଁ। ବିଜେପି ବିରୋଧରେ କୌଣସି ପ୍ରକାରର ରାଜନୈତିକ ବୟାନବାଜି କରିବାକୁ ପସନ୍ଦ କରନ୍ତି ନାହିଁ। ନବୀନ ପଟ୍ଟନାୟକ ଏବଂ ଜଗନମହୋନ ରେଡ୍ଡୀ ଉଭୟ କହିଛନ୍ତି ସରକାରଙ୍କ ସମର୍ଥକ ଏବଂ ବିରୋଧୀ କୁହାଯାଉଥିବା ଗୋଷ୍ଠୀରୁ ସେମାନେ ଦୂରେଇ ରହିଛନ୍ତି। ନିଜର ଏହି ଆଭିମୁଖ୍ୟ ଉପରେ ଉଭୟ ନେତା କାଏମ ରହିବାକୁ ଚାହାନ୍ତି।

ସୂଚନାଯୋଗ୍ୟ, ବିଜେଡି କେବେ ବି ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ଵାର ଉପସ୍ଥାପିତ ବିଧେୟକକୁ ବିରୋଧ କରିନାହିଁ। ରାଜ୍ୟରେ ଲୋକ ଦେଖାଣିଆ ତୁ ତୁ ମେଁ ମେଁ ହେଉଥିବା ବିଜେଡି ଏବଂ ବିଜେପି ଜାତୀୟ ରାଜନୀତିରେ କୋଳାକୋଳି ହୁଅନ୍ତି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ବିଜେପିକୁ ସମର୍ଥନ ଦେବା କୌଣସି ବଡ କଥା ନୁହେଁ। ଆଉ ନବୀନଙ୍କ ନୀତିକୁ ମଧ୍ୟ ଜଗନମୋହନ ରେଡ୍ଡୀ ମଧ୍ୟ ଅନୁସରଣ କରୁଛନ୍ତି।