fbpx

ସିନେ ଷ୍ଟାରଙ୍କ ବିନା ‘ଚମକ’ ହରାଉଛି ବିଜେଡି: କିଏ ପୂରା କରିବ ‘Mission-2024’?

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ପର କରି ଦେଇଛନ୍ତି ଅନେକ ଚିହ୍ନା ଚେହେରା । ଦିନେ ବିଜେଡିକୁ ଶକ୍ତିଶାଳୀ କରିଥିବା ବଡ଼ ବଡ଼ ନେତା ଆଜି ଦଳର ହାତ ଛାଡ଼ି ଦେଇଛନ୍ତି । ଜଣକ ପରେ ଜଣେ ସାଂସଦ ତଥା ବିଧାୟକ ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଯାହା ଫଳରେ ବିଜେଡି ନିଜର A.A.S.A(Anubhav-Akash-Siddhant-Arindam) ହରାଇ ବସିଛି । ନିର୍ବାଚନରେ ବିପୁଳ ବିଜ ହାସଲ କରିଥିବା ଅନେକ ପୁରୁଣା ଚେହେରା ଅଜି ଦଳରୁ ଦୂରେଇ ଯାଉଛନ୍ତି । ଆଉ ଏଥିରେ ସାମିଲ ରହିଛି କିଛି ସିନେ ସୁପରଷ୍ଟାର । ବିଜେଡିକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିବା ୪ ଜଣ ସୁପରଷ୍ଟାର ଏବେ ଦଳର ହାତ ଛାଡ଼ିଛନ୍ତି । ବର୍ତ୍ତମାନ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ଏବଂ ଅରିନ୍ଦମ ରାୟ ମଧ୍ୟ ଦଳରୁ ବିଦାୟ ନେଇଥିଲେ । ତେବେ ଏହି ୪ ଜଣଙ୍କ ଇସ୍ତଫା ପରେ ବିଜେଡି ଏବେ ନିଜର ସୁପରଷ୍ଟାରଙ୍କୁ ହରାଇଛି । ତେଣୁ ଏବେ ପ୍ରଶ୍ନ ଉଠିଛି ଯେ, ବିଜେଡି ଏଥର କାହାକୁ ନେଇ ଲଢିବ ନିର୍ବାଚନ ଏବଂ କାହା ଶକ୍ତିରେ ଜିତିବ ଗାଦି?

କିଛି ସମୟ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଏବଂ ଯାଜପୁର କୋରେଇ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦିନେ ବିଧାନସଭାରୁ ଲୋକସଭା ବିଜେଡି ପାଇଁ ପ୍ରତିନିଧିତ୍ୱ କରୁଥିଲେ, କିନ୍ତୁ ଆଜି ବିଜେଡିରୁ ନିଜକୁ ଦୂରେଇ ଦେଇଛନ୍ତି ଏହି ଦୁଇ ସିନେ ଷ୍ଟାର । ଏକାସାଙ୍ଗରେ ଦଳର ଦୁଇ ଯୁବ ନେତା ତଥା ଦଳର ଗୌରବ ସେମାନଙ୍କ ପଦ ଛାଡ଼ିବା ପରେ ବିଜେଡିକୁ ଡବଲ ଝଟକା ଲାଗିଛି । ୨୦୧୯ ନିର୍ବାଚନରେ କେନ୍ଦ୍ରପଡ଼ାରୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଲଢିଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ ଅନୁଭବ । ତେଣୁ ବିଜେଡି ପାଇଁ ଅନୁଭବ ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀ ରହିଥିଲେ ।

କିନ୍ତୁ ଚଳିତବର୍ଷ ନିର୍ବାଚନରେ ବିଜେଡି କେନ୍ଦ୍ରପଡ଼ାରେ ଅନୁଭବଙ୍କ ପରିବର୍ତ୍ତେ ଅଂଶୁମାନ ମହାନ୍ତିଙ୍କୁ ଟିକେଟ ପ୍ରଦାନ କରିଛି । ଏହାପରେ ଆଜି ବିଜେଡିରୁ ବିଦାୟ ନେଇଛନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି ଅନୁଭବ । ଦଳରୁ ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି । ତେବେ ଦଳ ଛାଡ଼ିବା ନେଇ ଅନୁଭବ କୌଣସି କାରଣ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି ।

ଏହାର କିଛି ସମୟ ପୂର୍ବରୁ ଯାଜପୁର କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ ଦଳ ପରିତ୍ୟାଗ କରିଛନ୍ତି । ୨୦୧୪ ମସିହାରେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି-କଂଗ୍ରେସ ଲଢେଇରେ ବିଜେଡିର ଟେକ ରଖିଥିଲେ ଆକାଶ । କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଆକାଶ ବିଧାୟକ ସିଟ୍ ନିଜର କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ଦଳ ତାଙ୍କ ଉପରେ ଭରସା କରିପାରି ନାହିଁ । ତେଣୁ ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ପ୍ରାର୍ଥୀ ପଦ ଦେଇଥିଲା । ଏହାପରେ ଆକାଶ ‘ମୋ କଲେଜ’ ଅଭିଯାନର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ଆଜି ସେ ମଧ୍ୟ ଦଳରୁ ବିଦାୟ ନେଇଛନ୍ତି । ଆଜି ଗୋଟିଏ ଦିନରେ ବିଜେଡି ଆକାଶ ଏବଂ ଅନୁଭବଙ୍କ ଭଳି ନେତାଙ୍କୁ ହାତଛଡ଼ା କରିଛି ।

ସେହିପରି ୨ ଦିନ ତଳେ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ୨୦୦୯ ରେ ସଫଳତାର ସହ ନିର୍ବାଚିତ ହୋଇ ଲୋକସଭା ସାଂସଦ ପାଲଟିଥିଲେ ଓଡ଼ିଆ ସିନେ ଜଗତର ମହାନାୟକ ସିଦ୍ଧାନ୍ତ ମହାପାତ୍ର । ଏହାପରେ ୨୦୧୪ ନିର୍ବାଚନରେ ମଧ୍ୟ ସିଦ୍ଧାନ୍ତ ବ୍ରହ୍ମପୁର ଆସନରେ ୧ ଲକ୍ଷରୁ ଅଧିକ ଭୋଟରେ ବିପୁଳ ବିଜୟ ହାସଲ କରି ଦଳକୁ ଗୌରବ ଆଣି ଦେଇଥିଲେ । କିନ୍ତୁ ଏହାପରେ ବିଜେଡି ୨୦୧୯ରେ ତାଙ୍କୁ ଟିକେଟ ଦେଇନାହିଁ । ସିଦ୍ଧାନ୍ତଙ୍କ ସ୍ଥାନରେ ଚନ୍ଦ୍ରଶେଖର ସାହୁ ଏହି ଆସନ ପାଇଁ ବିଜେଡି ତରପରୁ ନିର୍ବାଚନ ଲଢିଥିଲେ । ତେବେ ଆଜି ଏଭଳି ଜଣେ ଚେହେରା ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

ଶେଷରେ ଅରିନ୍ଦମ ରାୟ ମଧ୍ୟ ବିଜେଡି ସହ ସମ୍ପର୍କ ତୁଟାଇ ଦେଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ହୋଇ ବି ଦଳରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅରିନ୍ଦମ । ବିଜେଡି ଛାଡ଼ିବା ପରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ୨୦୦୯ ମସିହାରୁ ଅରିନ୍ଦମ ବିଜେଡିରେ ଜଣେ ଷ୍ଟାର କ୍ୟାମ୍ପେନର ଭାବରେ ରହି ଯାଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେଡି ହାତ ଛାଡ଼ି ବିଜେପିର ହାତ ଧରିଛନ୍ତି ।
ତେବେ କିଛି ଦିନ ତଳେ ଏହି ୪ ଜଣ ସିନେ ଷ୍ଟାର ବିଜେଡି ପାଇଁ ପ୍ରମୁଖ ଅସ୍ତ୍ର ଥିଲେ । କିନ୍ତୁ ଆଜି ଜଣ ଜଣ କରି ସମସ୍ତେ ଦଳରୁ ବିଦାୟ ନେଇଛନ୍ତି । ଅରିନ୍ଦମ ଏବଂ ସିଦ୍ଧାନ୍ତ ବିଜେପିରେ ସାମିଲ ହୋଇ ସାରିଥିବା ବେଳେ ଅନୁଭବ ଏବଂ ଆକାଶ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Get real time updates directly on you device, subscribe now.