ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି, 6ରେ ରଣହୁଙ୍କାର
୬ ତାରିଖରେ ଲୋୟର ପିଏମ୍ ଜିରେ ଆନ୍ଦୋଳନ କରିବ ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡ଼ି କରିବ ଆନ୍ଦୋଳନ ।
ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା 6 ତାରିଖରେ ଭୁବନେଶ୍ବରରେ ବିକ୍ଷୋଭ କରିବ ବିଜେଡି । ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
ଦରଦାମ୍ ବୃଦ୍ଧି ପ୍ରତିବାଦକୁ ନେଇ ବିଜେଡି ପକ୍ଷରୁ ଏହି ରଣହୁଙ୍କାର କରାଯିବ । ରାଜ୍ୟରେ ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କ ଉପରେ ବୋଝ ବୋଲି କହିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଡବଲ ଇଞ୍ଜିନ ସରକାର ଆସିବା ପରେ ହେଁ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି ।
ହୁହୁ ହୋଇ ଦରଦାମ୍ ବୃଦ୍ଧି ହେଉଛି । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ ଓଡିଶାରେ ଏହି ଦର କମିବାର ନାମ ନେଉନାହିଁ । ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ଲଢିବ ବୋଲି ସେ କହିଛନ୍ତି ।
ବିଜେଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ନବୀନ ସରକାର ସର୍ବଦା ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେଉଥିଲେ । ହେଲେ ଡବଲ ଇଞ୍ଜିନ ସରକାର ଆସିବା ପରେ ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି । ଯଦି ସରକାର ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।