fbpx

ଫାଇଦାରେ ବିଜେପି!

ନୂଆଦିଲ୍ଲୀ: ବିଜେପି ଏବେ ସାରା ଦେଶରେ ନିଜର ପତିଆରା ବୃଦ୍ଧି ଲକ୍ଷ୍ୟରେ ରହିଛି । କେନ୍ଦ୍ରରେ ମୋଦୀ ସରକାର ତ ରାଜ୍ କରୁଛନ୍ତି, ପୁଣି ପତିଆରା ବୃଦ୍ଧି କ’ଣ? କହିବାର ତାତ୍ପର୍ଯ୍ୟ ଏବେ ଦେଶ ଏକପ୍ରକାର କଂଗ୍ରେସ ମୁକ୍ତ ହୋଇଯାଇଛି । ଆଉ କିଛି ରାଜ୍ୟରେ ବିଜେପି ସରକାର ଗଠନ କରିଛି ତ କିଛି ରାଜ୍ୟରେ ବିଜେପି ତା’ର ସହଯୋଗୀ ଦଳ ସହ ମେଣ୍ଟ କରି ସରକାର ଗଠନ କରିଛି । ବାକି ଯେଉଁ କିଛି ରାଜ୍ୟ ଯେଉଁଠି ଅଣବିଜେପି ସରକାର ରହିଛି କିମ୍ବା ସେସବୁ ରାଜ୍ୟରେ ଆଞ୍ଚଳିକ ଦଳଙ୍କ ପ୍ରାଦୁର୍ଭାବ ରହିଛି ତାହାକୁ ବି ଖତମ୍ କରିବା ମୁଡରେ ବିଜେପି ଥିବା ପରି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ଏଇ ନିକଟରେ ମହାରାଷ୍ଟ୍ରରେ ଘଟିଯାଇଥିବା ରାଜନୈତିକ ଦୃଶ୍ୟପଟ୍ଟ ଓ ସେଥିରେ ବିଜେପିର ସୁପରଏଣ୍ଟ୍ରି ଏଭଳି କିଛି ବାର୍ତ୍ତା ଦେଉଛି । ଏବେ ମହାରାଷ୍ଟ୍ର ରାଜାନୀତିରେ ଏକନାଥ ସିନ୍ଦେ ଯଦିଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେବେ ଶିବସେନା ଦଳ ଯେ ଦୁଇଭାଗ ହୋଇଯାଇଛି ତାହା ଆଉ କାହାକୁ ଅଛପା ନାହିଁ ।

ଯଦି ବିଜେପି ଚାହିଁଥାନ୍ତା ତେବେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିପାରିଥାନ୍ତା, କିନ୍ତୁ ତାହା ନକରି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଶିବସେନା ମଧ୍ୟରେ ବିଦ୍ରୋହର ଅଗ୍ନି ସଂଯୋଗ କରିଦେଇଛି ବୋଲି ଆଲୋଚନା ହେଉଛି । ଏବେ ଉଦ୍ଧବ ଓ ଏକନାଥଙ୍କ ମଧ୍ୟରେ ଶିବସେନାର ମାଲିକାନାକୁ ନେଇ ବିବାଦ ଚରମସୀମାରେ ପହଞ୍ଚିଛି । କିନ୍ତୁ ଫାଇଦା ତ ବିଜେପିର ହୋଇଛି ନା!

ଆଉ ଟିକେ ସରଳ କରି ସୂଚାଉଛୁ କି ଯେବେଠୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ମହାରାଷ୍ଟ୍ରରେ ରାଜ୍ କରିବା ଆରମ୍ଭ କଲେ ସେବେଠୁ ଶିବସେନା ହିନ୍ଦୁତ୍ୱକୁ ପାଶୋରି ଦେଇଛି ଓ ବାଲ୍ ଠାକରେଙ୍କ ଆଦର୍ଶ ଓ ନୀତିକୁ ଉଦ୍ଧବ ଠାକରେ ସଂପୂର୍ଣ୍ଣ କୁଠାରଘାତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରି ଆସୁଥିଲା ।

କାରଣ ବିଜେପି ଓ ଶିବସେନା ଦୁଇଟି ଦଳ ହିନ୍ଦୁତ୍ୱର ନାରା ନେଇ ଦେଶରେ ନିଜର ପତିଆରା ବୃଦ୍ଧି କରିଥିଲେ । ବରିଷ୍ଠ ରାଜନୈତିକ ବିଶ୍ଳେଷକଙ୍କ ମତରୁ ଯାହା ଜଣାପଡ଼େ ଶିବସେନା ଆଉ ବିଭାଜନ ସ୍ଥିତିରେ ନାହିଁ ବରଂ ଏହା ଲୋପ ପାଇବା ସ୍ଥିତିରେ ପହଞ୍ଚିଯାଇଛି । ବିରୋଧୀ ଦଳ ଯେତେ ବିଭାଜନ ବା ଦୁର୍ବଳ ହେବେ ତାହାର ଫାଇଦା ସେତେ ଅଧିକ ବିଜେପି ଉଠାଇବ । ସେ ବିହାର ହେଉ ଅବା ପଞ୍ଜାବ ବିଗତ ଦିନର ଘଟଣ।।କ୍ରମକୁ ଦେଖିଲେ ଆପଣ ଏଥିରୁ ସ୍ପଷ୍ଟ ବୁଝିପାରିବେ ।

ଉତ୍ତରପ୍ରଦେଶ କଥାକୁ ଆପଣ ବିଚାର କରନ୍ତୁ । ଉତ୍ତରପ୍ରଦେଶର ସର୍ବବୃହତ ଆଞ୍ଚଳିକ ଦଳ ଥିବା ସମାଜବାଦୀ ପାର୍ଟି ପାରିବାରିକ କଳହ କାରଣରୁ ବିଜେପି ଏହାର ଫାଇଦା ନେଇଛି । ବିହାରରେ ଜେଡି(ୟୁ) ଓ ଲୋକତାନ୍ତ୍ରିକ ଜନତା ଦଳ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ଯୋଗୁଁ ସେଠାରେ ବି ବିଜେପି ଲାଭରେ ରହିଛି । ତେଣୁ ଦେଶରେ ଆଉ କଂଗ୍ରେସମୁକ୍ତ ନୁହେଁ ବରଂ ସବୁଠି ବିଜେପିଯୁକ୍ତ ସରକାର ଗଠନ ଲକ୍ଷ୍ୟରେ ବିଜେପି ନିଜର ରଣନୀତି ପ୍ରସ୍ତୁତ ଲକ୍ଷ୍ୟରେ ରହିଛି ।

ଅର୍ଥାତ ଅନ୍ୟ କିଛି ରାଜ୍ୟରେ ଯେଉଁଠି ଆଞ୍ଚଳିକ ଦଳଙ୍କ ପତିଆରା ରହିଛି ସେଠାରେ ବି ବିଜେପି ସୁଚିନ୍ତିତ ରଣନୀତି ଉପଯୋଗ କରି ନିଜର ପ୍ରଭୁତ୍ୱ ଜାହିର କରିପାରେ ବୋଲି ଅନୁମାନ କରାଯାଉଛି । ନିକଟରେ ହାଇଦ୍ରାବାଦ୍ ଠାରେ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କିଛି ଏଭଳି ଇଶାରା ମିଳିଥିବା ଜଣାଯାଇଛି ।

Get real time updates directly on you device, subscribe now.