fbpx
BJD SKY
BJD SKY

Mission 2024: ଆସନ୍ତା ନିର୍ବାଚନରେ ବିଜେପି କେମିତି ପାୱାର ହାତେଇବ, ଚାଣକ୍ୟ ପ୍ରସ୍ତୁତ କରିଛନ୍ତି ଏକ ସ୍ପେଶାଲ ରୋଡମ୍ୟାପ୍

BJD

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ବିଜେପି ନିଜର କସରତ ଆରମ୍ଭ କରିଦେଇଛି । ଏହି ନିର୍ବାଚନୀ ଅଭିଯାନ ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ । ତୃଣମୂଳ ସ୍ତରରେ ଦଳର ସ୍ଥିତି କିପରି ରହିଛି ସେନେଇ ଶାହଙ୍କ ଟିମ୍ ଏବେ ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରିବାରେ ଲାଗି ପଡ଼ିଲେଣି । ଶାହଙ୍କ ରଣନୀତି ଉପରେ ନିର୍ଭର କରୁଛନ୍ତି ବିଜେପିର ଭବିଷ୍ୟତ ରାଜନୈତିକ ଯାତ୍ରା ସ୍ଥିତି ।

ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବାବେଳେ ସେଥିପାଇଁ ଆଉ ପାଖାପାଖି ୨ ବର୍ଷର ସମୟ ରହିଛି । ଏହାକୁ ନେଇ ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଆମ ଆଦମୀ ପାର୍ଟି (ଆପ), ସଂଯୁକ୍ତ ଜନତା ଦଳ (ଜେଡିୟୁ), ବିରୋଧୀ ମହାମେଣ୍ଟ ସକ୍ରିୟ ହୋଇ ଉଠିଛନ୍ତି । ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ‘ଭାରତ ଯୋଡ଼ୋ ଯାତ୍ରା’ ମାଧ୍ୟମରେ ଦଳର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି । ନିକଟରେ ଅଣ ଗାନ୍ଧି ପରିବାରର ଜଣେ ନେତା ମଲ୍ଲିକାର୍ଜୁନ ଖଡ଼କେ ଦଳର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ।

ଗତ ୨୦୧୪, ୨୦୧୯ ନିର୍ବାଚନ ପରି ୨୦୨୪ରେ ମଧ୍ୟ ବହୁମତ ହାସଲ କରି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ବିଜେପି । ଦେଶର ୫୪୩ଟି ଲୋକସଭା ଆସନକୁ କବଜା କରିବା ଲକ୍ଷ୍ୟରେ ବିଜେପି ମୋଟ ୧ ଲକ୍ଷ ବୁଥ୍ ଚିହ୍ନଟ କରିଛି । ସେଥିମଧ୍ୟରେ ଦଳ ଏବେ ପାଖାପାଖି ୯୦ ହଜାର ବୁଥର ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରିସାରିଛି । ଗତ ନିର୍ବାଚନରେ ଦଳ ଯେଉଁସବୁ ସିଟମାନଙ୍କରେ କଡ଼ା ସଂଘର୍ଷ କରିଥିଲା ଉକ୍ତ ସିଟ ଉପରେ ଏବେ ବେଶି ଫୋକସ କରୁଛି ।

ସେଥିପାଇଁ ଦଳ ଏକ ସ୍ପେଶାଲ ପ୍ଲାନ ପ୍ରସ୍ତୁତ କରିଛି । ବୁଥ ମ୍ୟାନେଜମେଣ୍ଟ ମାଧ୍ୟମରେ ଦଳ ନିଜ ସପକ୍ଷରେ ମାହୋଲ ସୃଷ୍ଟି କରିବ । ସେଥିପାଇଁ ସରକାରଙ୍କର ଯୋଜନାକୁ ନେଇ ଲୋକଙ୍କଠାରୁ ଫିଡବ୍ୟାକ ନିଆଯାଉଛି । ଲୋକଙ୍କର ପସନ୍ଦ, ନାପସନ୍ଦ କ’ଣ ରହିଛି ତାହା ଉପରେ ତର୍ଜମା କରାଯାଉଛି । ସେଥିପାଇଁ ବିଜେପି ହାଇକମାଣ୍ଡ ପ୍ରତି ଲୋକସଭା କ୍ଷେତ୍ରର ପାଖାପାଖି ୧୦୦ଟି ବୁଥ୍ ଚିହ୍ନଟ କରିଛନ୍ତି । ଏହି ସବୁ ବୁଥ ଉପରେ ଦଳର ୪୦ ହଜାର କାର୍ଯ୍ୟକର୍ତ୍ତା ଓ ସାଂସଦ, ବିଧାୟକ ଗ୍ରାଉଣ୍ଡ ରିପୋର୍ଟ ଦେବେ ।

ସେହିପରି ପୂର୍ବ ନିର୍ବାଚନରେ ହାରିଥିବା ସିଟ ଉପରେ ବିଜେପି ଚାଣକ୍ୟ ଏକ ସ୍ପେଶାଲ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଗତ ନିର୍ବାଚନରେ ବିଜେପି ହାରିଥିବା ୧୪୪ଟି ସିଟ ଉପରେ ଶାହ ବେଶି ଫୋକସ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଓ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇ ସେମାନଙ୍କର ରିପୋର୍ଟ ସିଧାସଳଖ ଟପ୍ ନେତୃତ୍ୱଙ୍କୁ ପଠାଯାଉଛି । ତେବେ ଏହି ରିପୋର୍ଟରେ ଯେପରି କିଛି ତ୍ରୁଟି ନ ରୁହେ, ସେଥିପାଇଁ ଦଳ ଏକ ଇଣ୍ଟରନାଲ ଆପ୍ ପ୍ରସ୍ତୁତ କରିଛି ।

ଯେଉଁ ବୁଥରୁ ଯାହା କିଛି ରିପୋର୍ଟ ମିଳିବ, ସେସବୁକୁ ଏହି ଆପରେ ଅପଲୋଡ୍ କରୁଛନ୍ତି ଦଳର କାର୍ଯ୍ୟକର୍ତ୍ତା ଓ ମନ୍ତ୍ରୀମାନେ । ଯାହା କିଛି ଟାର୍ଗେଟ ଦିଆଯାଇଛି, ତାହା ଠିକ୍ ଭାବେ ପୂରଣ ହେଉଛି କି ନା ତାହାକୁ ଆପ୍ ଦ୍ୱାରା ଚେକ୍ କରାଯାଉଛି । ସବୁଠାରୁ ବଡ଼ କଥା ହେଉଛି, ବେଷ୍ଟ ପରଫର୍ମରଙ୍କଠାରୁ ଆରମ୍ଭ କରି ଅଣ୍ଡର ପରଫର୍ମର ପର୍ଯ୍ୟନ୍ତ କ୍ୟାଟୋଗୋରି ମଧ୍ୟ ତିଆରି କରାଯାଇଛି । ଯଦି ଜଣେ କାର୍ଯ୍ୟକର୍ତ୍ତା ଜଣେ ମନ୍ତ୍ରୀଙ୍କଠାରୁ ଭଲ ପ୍ରଦର୍ଶନ କରେ, ତେବେ ତାଙ୍କୁ ବେଷ୍ଟ ପରଫର୍ମର କୁହାଯିବ । ଯେଉଁମାନେ ନିଜର ଟାର୍ଗେଟ ପୂରଣ କରିବାରେ ଅକ୍ଷମ ହେବେ ସେମାନଙ୍କୁ ଅଣ୍ଡର ପରଫର୍ମର ବର୍ଗରେ ରଖାଯିବ ।

କେବଳ ଆପ ମାଧ୍ୟମରେ ସୀମିତ ରହିନାହିଁ ଦଳ । ସମସ୍ତଙ୍କର ସହିତ ନିୟମତ ଭାବେ ଆଲୋଚନା ମଧ୍ୟ କରାଯାଉଛି । ଏଥିପାଇଁ ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରରେ ଅନେକ କଲ ସେଣ୍ଟର ଖୋଲାଯାଇଛି । ମାସକୁ ନିୟମିତ ବ୍ୟବଧାନରେ ଲୋକସଭା କ୍ଷେତ୍ର ପରିଦର୍ଶନ କରିବାକୁ ଚାଣକ୍ୟ ମନ୍ତ୍ରୀମାନଙ୍କୁ କହିଛନ୍ତି । ଦଳର ବିଜୟ-ପରାଜୟର ଦାୟିତ୍ୱ ଏହି ନେତାଙ୍କ ଉପରେ ସମର୍ପଣ କରାଯାଇଛି । ଦଳ ‘ଜିତିଲେ ବଧାଇ, ହାରିଲେ ଜବାବଦେହି’ ନୀତିରେ ନେତାଙ୍କ ସହ ଡିଲ୍ କରିଛି ବିଜେପି ।

Get real time updates directly on you device, subscribe now.