ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଓଡ଼ିଶାରେ ମେ ୧୩ରୁ ଚାରି ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ନିଜ କ୍ଷେତ୍ରମାନଙ୍କରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।
ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ସୋର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । ପୂର୍ବରୁ ସୋର ଆସନ ପାଇଁ ରାଜୁ ଦାସଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନ ପାଇଁ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜୁଙ୍କ ସ୍ଥାନରେ ପର୍ଶୁରାମ ଧଡ଼ା ସୋର ଆସନରୁ ନିର୍ବାଚନ ଲଢ଼ିବେ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।