ନୂଆଦିଲ୍ଲୀ: ଭାଜପାର ଜଣେ ପୂର୍ବତନ ବିଧାୟକଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଛି । ବିଜେପିର ପୂର୍ବତନ ବିଧାୟକ ସଞ୍ଜୟ ପ୍ରତାପ ଜୟସୱାଲଙ୍କ ସହିତ ୭ ଜଣଙ୍କୁ ୩ ବର୍ଷର ଜେଲଦଣ୍ଡ ଲାଗୁ ହୋଇଛି । ଏଥିସହିତ ସେମାନଙ୍କ ଉପରେ ୪୫ ଟଙ୍କାର ଜରିମାନା ମଧ୍ୟ କୋର୍ଟ ଲାଗୁ କରିଛନ୍ତି । ଏମପି-ଏମଏଲଏ କୋର୍ଟଙ୍କ ପକ୍ଷରୁ ଏହି ଶୁଣାଣି କରାଯାଇଥିଲା । ତେବେ ଅର୍ଥଦଣ୍ଡ ପଇଠ ନକଲେ ସେମାନଙ୍କୁ ୨ ମାସ ୧୦ ଦିନର ଅତିରିକ୍ତ ଜେଲଦଣ୍ଡ କାଟିବାକୁ ପଡ଼ିବ ।
ଏସିଜିଏମ ଏମପି / ଏମଏଲଏ କୋର୍ଟ ପକ୍ଷରୁ ଆଜି ଦୁଇ ଦଶନ୍ଧି ତଳର ଏକ ପୁରୁଣା ମାମଲାର ଶୁଣାଣି ହୋଇଥିଲା । ସଞ୍ଜୟ ଉତ୍ତରପ୍ରଦେଶର ରୁଦୌଲି ବିଧାନସଭା ଆସନରୁ ପୂର୍ବରୁ ବିଧାୟକ ରହିଥିଲେ । ତେବେ ଆଉ ଜଣେ ପୂର୍ବତନ ବିଧାୟକଙ୍କ ପୁତ୍ରଙ୍କୁ ମଧ୍ୟ ଏହି ଜେଲଦଣ୍ଡ ଶୁଣାଣି ହେଶଇଛି । ଗତ ୨୦୦୩ ମସିହା ଡିସେମ୍ବର ମାସ ୩ ତାରିଖରେ ସଦର ତହସିଲ ଭବନରେ ଏମଏଲସି ନିର୍ବାଚନର ଭୋଟ ଗଣତି ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ।
ଭୋଟ ଗଣତି କେନ୍ଦ୍ର ଭିତରକୁ ବଳପୂର୍ବକ ପଶି ମାରପିଟ କରିବା ଓ ଅନ୍ୟ ଧାରାରେ ଏହି ୭ ଜଣଙ୍କ ନାମରେ ମାମଲା ଦାୟର ହୋଇଥିଲା । ସେମାନେ ଗଣନା କେନ୍ଦ୍ରରେ ପହଞ୍ଚି ଭୋଟ ଗଣତି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଓ ୫୦ଟି ଭୋଟ କାଗଜ ଉଠାଇ ନେଇ ଚାଲିଯାଇଥିଲେ । ଫଳରେ ଏନେଇ ଅଭିଯୋଗ ହେବା ପରେ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ୧୦ ଜଣ ସାକ୍ଷୀଙ୍କୁ ଉପସ୍ଥିତ କରାଯାଇଥିଲା । ତେବେ କୋର୍ଟ ସଞ୍ଜୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବିଧାନ କରିଥିଲେ ।