ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଉପନିର୍ବାଚନ ପାଇଁ ଚାଲିଛି ବିଜେପିର ମାନସ ମନ୍ଥନ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ବିଜେପି ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ବୈଠକରେ ଉପସ୍ଥିତ ରହିଛନ୍ତି । ଏହା ସହ ସାଂସଦ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ସାମିଲ ଅଛନ୍ତି ।
ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ବିଜ୍ଞପ୍ତି ଅନୁସାରେ, ଚାରି ମେ’ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ । ଏହାପରେ ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ । ଜୁନ୍ ୩ରେ ଗଣତି ଓ ଫଳାଫଳ ।
ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ରାଜନୈତିକ ଗତିବିଧି ଜୋର ଧରିଛି । ବ୍ରଜରାଜନଗର ଉପ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିର୍ବାଚନ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।