ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନାମରେ ପୋଲିସ ପକ୍ଷରୁ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି । ଆଶିଷଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଦେଇଛି ଏବଂ ଖୁବ୍ଶୀଘ୍ର ଗିରଫ କରାଯାଇପାରେ । ଏହି ହିଂସା ଘଟଣାରେ ଆଶିଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।ଏ ସମ୍ପର୍କରେ ଆଇଜି ଲକ୍ଷ୍ମୀ ସିଂହ ସୂଚନା ଦେଇଛନ୍ତି।
ଅନ୍ୟପଟେ ଘଟଣା ସମ୍ପର୍କରେ ବୁଧବାର ସୁପ୍ରିମକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଛି। ଶୁକ୍ରବାର ସୁଦ୍ଧା ହିଂସା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୈଠ କରିବାକୁ କୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୪ କୃଷକ ଓ ଅନ୍ୟ ଚାରି ଜଣଙ୍କ ମଧ୍ୟରୁ ଜଣେ ଗାଡ଼ି ଡ୍ରାଇଭର ଓ ୩ ଜଣ ବିଜେପି କର୍ମୀ ସାମିଲ୍ ଅଛନ୍ତି। ଏଥିରେ ମନ୍ତ୍ରୀଙ୍କୁ ସାମିଲ୍ ଥିବା ଅଭିଯୋଗ ହେବା ପରେ ଆସନ୍ତାକାଲି ସୁଦ୍ଧା ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଶୁକ୍ରବାର ପୁଣିଥରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।
ସୂଚନାଥାଉକି, ରବିବାର ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଆନ୍ଦୋଳନରତ ଚାଷୀଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରେ ସେଠାରେ ଉପସ୍ଥିତ ଚାଷୀ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ହିଂସାକାଣ୍ଡରେ ସମୁଦାୟ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ହୋଇଥିବା ବେଳେ ଅନ୍ୟ ୩ ଜଣ ବିଜେପି କର୍ମୀ ଓ ଜଣେ ସାମ୍ବାଦିକ ରହିଛନ୍ତି । ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଚାଷୀ ନେତା ଅଛନ୍ତି ।