fbpx

ନିର୍ବାଚନ ପୂର୍ବରୁ ବଡ଼ ଝଟକା: BJP ବିଧାୟକ କଂଗ୍ରେସରେ ଯୋଗଦେଲେ, ଆସନ୍ତା ମାସରେ ଭୋଟ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ନିର୍ବାଚନୀ ଋତୁ ଚାଲିଛି । ନିକଟରେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ସହ ସରକାର ଗଠନ ସରିଥିବା ବେଳେ ଆସନ୍ତା ମାସ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନଷ୍ଠିତ ହେବ । ଏଥିସହିତ ସମାନ ତାରିଖରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେ ବିଭିନ୍ନ ରାଜ୍ୟରେ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି ।

ତେବେ ନିକଟରେ କର୍ଣ୍ଣାଟକ ବିଜେପି ବିଧାୟକ ଏନ.ୱାଇ ଗୋପାଳକୃଷ୍ଣ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏବେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିସହିତ ଆଗକୁ ବିଜେପି ଓ ଜେଡିଏସର ବହୁ ନେତା କଂଗ୍ରେସରେ ସାମିଲ ହେବେ ବୋଲି ରାଜ୍ୟ କଂଗ୍ରେସର ସଭାପତି କହିଛନ୍ତି । ତେବେ ଗତ ୨ ତାରିଖରେ ଜେଡିଏସ ବିଧାୟକ ଶିବଲିଙ୍ଗେ ଗୌଡ଼ ଦଳରୁ ଇସ୍ତଫା ଦେଇଥିଲେ । ଖୁବଶୀଘ୍ର ଶିବଲିଙ୍ଗେ କଂଗ୍ରେସର ହାତ ଧରିବେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି-କଂଗ୍ରେସ-ଜେଡିଏସ ମଧ୍ୟରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିବ । ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ସେମିଫାଇନାଲ ସଦୃଶ ହେବ ବୋଲି କୁହାଯାଉଛି । ତେବେ ଏହି ନିର୍ବାଚନରେ ମୋଦୀ ହିଁ ବିଜେପିର ଏକମାତ୍ର ଭରସା । କାରଣ ରାଜ୍ୟରେ ଜେଡିଏସ ଓ କଂଗ୍ରେସର ସ୍ଥିତି ବହୁତ ଭଲ ରହିଛି । ତେଣୁ ଏଭଳି ସ୍ଥିତିରେ କିଏ କ୍ଷମତା ଦଖଲ କରିବା ତାହା କହିବା ମୁସ୍କିଲ ।

Get real time updates directly on you device, subscribe now.