fbpx

ଗୁଜରାଟରେ ନୂତନ ମୁଖ୍ୟମନ୍ତ୍ରୀ ନେଇ ମନ୍ଥନ ଜାରି, ନିଷ୍ପତ୍ତି ପାଇଁ ୩ଟାରେ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ : ଦେଶର ରାଜନୈତିକ ବ୍ୟକ୍ତି ବିଶେଷଙ୍କ ନଜର ଆଜି ଗୁଜରାଟ ଉପରେ ରହିଛି । ବିଜୟ ରୂପାନୀଙ୍କ ଇସ୍ତଫା ପରେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାର ଘୋଷଣା ଅପରାହ୍ନରେ ହୋଇପାରେ । ରବିବାର ଅପରାହ୍ନ ୩ଟାରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏହି ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ନରେନ୍ଦ୍ର ସିଂହ ତୋମାର ଗୁଜରାଟ ପହଞ୍ଚିଛନ୍ତି । ଭାରତୀୟ ଜନତା ପାର୍ଟି ଏହି ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଗୁଜରାଟ ପଠାଇଛି ।

ତୋମାର ଓ ଯୋଶୀଙ୍କ ବ୍ୟତୀତ ବିଜେପିର ସାଧାରଣ ସଂପାଦକ ବିଏସଲ ସନ୍ତୋଷ, ଗୁଜରାଟ ରାଜ୍ୟ ପ୍ରଭାରୀ ଭୂପେନ୍ଦ୍ର ଯାଦବ ଓ ସିଆର ପାଟିଲ ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଞ୍ଚି ଯାଇଛନ୍ତି । ଗୁଜରାଟ ନେତାଙ୍କ ସହ ବିଚାର ବିମର୍ଶ ପରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରେ ନିଷ୍ପତ୍ତି ନେବେ ବୋଲି ତୋମାର ସାମ୍ବାଦିକଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ଏହି ସବୁ ନେତା

ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ଅଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ, ଦାଦର ଓ ନଗର ହାବେଳୀ, ଡାମନ ଏବଂ ଡିଉର ପ୍ରଶାସକ ପ୍ରଫୁଲ ଖୋଡା ପଟେଲ୍ ଥିବା କୁହାଯାଉଛି । ଏଥିସହ କେନ୍ଦ୍ର ମତ୍ସ୍ୟ, ପଶୁ ପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଦୁଇ ନେତା ପଟେଲ୍ ଏବଂ ପାଟିଦାର ସମୁଦାୟର ସବୁଠୁ ବଡ ଚେହେରା । ଗୁଜରାଟ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ରାଜ୍ୟ କୃଷି ମନ୍ତ୍ରୀ ଆରସି ଫାଲଦୁଙ୍କ ନାମକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି । ଉଭୟ ମଧ୍ୟ ପଟେଲ ସମୁଦାୟରୁ ଆସିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବିଜୟ ରୂପାନୀ ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବିଧାନସବା ନିର୍ବାଚନକୁ ଆଉ ୧୫ ମାସ ବାକି ଥିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଛନ୍ତି । କରୋନା ଭାଇରସ୍ ମହାମାରୀ ସମୟରେ ବିଜେପି ଶାସିତ ରାଜ୍ୟରେ ପଦ ଛାଡିବାରେ ରୂପାନୀ ହେଉଛନ୍ତି ଚତୁର୍ଥ ମୁଖ୍ୟମନ୍ତ୍ରୀ । ସେ ୨୦୧୭ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Get real time updates directly on you device, subscribe now.