fbpx

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବରଗଡ଼ ଗସ୍ତ ପୂର୍ବରୁ ପୋଲିସ ଏପରି ଆଗୁଆ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଇରାଶିଷଙ୍କଙ୍କୁ ତାଙ୍କ ଭଟଲିସ୍ଥିତ ଘରୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି । ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦଙ୍କ ସମେତ କଂଗ୍ରେସ ଓ ବିଜେପିର ୨୦ରୁ ଅଧିକ କର୍ମୀ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯିବେ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ପୂର୍ବରୁ ରାଜ୍ୟର ଏକାଧିକ ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ କଳାପତାକା ଓ ଅଣ୍ଡାମାଡ଼ କରାଯାଇଥିବା ଦେଖାଯାଇଛି । ତେଣୁ ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରା ହତ୍ୟାକାଣ୍ଡକୁ ରାଜ୍ୟରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଘୋର ବିରୋଧ କରାଯାଇ ଆସୁଛି । ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ତୁଷାରକାନ୍ତି ବେହେରା ଓ ପଦ୍ମନାଭ ବେହେରାଙ୍କୁ ବିରୋଧ କରାଯାଇ ଅଣ୍ଡାମାଡ଼ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୦.୧୫ରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେୁ ୧୦.୨୫ରେ ଏୟରକ୍ରାଫ୍ଟରେ ବସି ୧୧.୦୫ରେ ପଦ୍ମପୁର ନିକଟସ୍ଥ ସତୀଭଟାରେ ଏୟରାଷ୍ଟ୍ରିପରେ ଅବତରଣ କରିବେ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେଠାରୁ ବାହରି ଦିନ ୧୧.୩୦ରେ ବିଜେପୁରରେ ଅବତରଣ କରିବେ । ଦିନ ୧୧.୫୯ରେ ଗଣ୍ଡପାଲି ନିକଟସ୍ଥ ପଡ଼ିଆରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ୨ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୩୦ ଜଣ ଏସଆଇ, ୪୦ ଜଣ ଏଏସଆଇ, ଓ ୨୦ ପ୍ଲାଟୁନ ଫୋର୍ସଙ୍କୁ ଦାୟିତ୍ୱ ଦିଆଯାଇଛି । ବରଗଡ଼ରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ।

Get real time updates directly on you device, subscribe now.