ସର୍ବସମ୍ମୁଖରେ ବିଜେପି କର୍ମୀଙ୍କୁ ବିଭତ୍ସ ହତ୍ୟା, ରାସ୍ତା ଉପରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ

ଟଙ୍କା ପାଇଁ ହତ୍ୟାକାଣ୍ଡ।

ତାମିଲନାଡୁ: ବିଜେପି କର୍ମୀଙ୍କ ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ସଂଘବଦ୍ଧ ଆକ୍ରମଣ କଲେ। ଆଉ ସର୍ବସମ୍ମୁଖରେ ହତ୍ୟା କରି ଚାଲିଗଲେ। ଯାହାକି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି।

ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ସତ, କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ବିଜେପିର ୩୯ ବର୍ଷୀୟ ବାଲକ୍ରିଷ୍ଣନଙ୍କୁ ଗୁରୁତର ଭାବରେ ଆଘାତ କରିସାରିଥିଲେ। ଫଳରେ ଲୋକଙ୍କ ସାମ୍ନାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବିଜେପି କର୍ମୀଙ୍କୁ ହତ୍ୟା:  ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲାର ସାନରପଟ୍ଟି ନିକଟରେ ଜଣେ ବିଜେପି ସଦସ୍ୟଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ରାଜକାପଟ୍ଟିର ୩୯ ବର୍ଷୀୟ ବାଲକ୍ରିଷ୍ଣନ୍ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବନ୍ଧୁମାନଙ୍କ ସହିତ କଥା ହେଉଥିଲେ।

ହେଲେ ହଠାତ୍  ମୋଟରସାଇକେଲରେ କିଛି ଲୋକ ତାଙ୍କୁ ଘେରିଗଲେ। ଏବଂ ସଶସ୍ତ୍ର ଆକ୍ରମଣକାରୀମାନେ ସମସ୍ତଙ୍କ ସମ୍ମୁଖରେ ବାଲକ୍ରିଷ୍ଣନଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ଦେଖୁଥିବା ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ, କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆକ୍ରମଣକାରୀମାନେ ତାଙ୍କୁ ଗୁରୁତର କରିସାରିଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡିତଙ୍କୁ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଦୁର୍ବୃତ୍ତ। ସାନରପଟ୍ଟି ପୋଲିସ କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ବାଲକୃଷ୍ଣନଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡିଣ୍ଡିଗୁଲ ଜିଲ୍ଲା ସରକାରୀ ହସ୍ପିଟାଲକୁ ପଠାଯାଇଥିଲା।

ଟଙ୍କା ପାଇଁ ହତ୍ୟା: ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହତ୍ୟାକାଣ୍ଡ ଆର୍ଥିକ ବିବାଦ ଯୋଗୁଁ ହୋଇଛି ବୋଲି ସନ୍ଦେହ କରାଯାଉଛି। ତଥାପି ପୋଲିସ  କହିଛି ଯେ ଆକ୍ରମଣର କାରଣ ଜାଣିବା ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବା ପାଇଁ  ତଦନ୍ତ ଚାଲିଛି।