fbpx

ଅଯୋଧ୍ୟା ରାମ ମନ୍ଦିରକୁ ନେଇ BJPର ମାଷ୍ଟରପ୍ଲାନ: ପ୍ରତିଦିନ ୫୦ ହଜାର ଲୋକଙ୍କୁ କରାଯିବ ରାମ-ଦର୍ଶନ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି କୋଟି କୋଟି ରାମଭକ୍ତଙ୍କ ବହୁବର୍ଷର ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାମ ମନ୍ଦିରକୁ ନେଇ ଭାରତୀୟ ଜନତା ପାର୍ଟି ଏକ ବଡ଼ ପ୍ଲାନ କରିଛି । ଆଜି ରାମ ମନ୍ଦିର ପାଇଁ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି । ଧୁମଧାମରେ ଏହି ଉତ୍ସବକୁ ପାଳନ କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି ।

ଜାନୁୟାରୀ ୨୨ ତାରିଖକୁ ଦିୱାଲୀ ଭଳି ପାଳନ କରିବା ପାଇଁ ବିଜେପି ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଜାରି କରିଛି । ଏହାସହିତ ୨୨ ଜାନୁୟାରୀ ଦିନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଦେଖାଇବେ ବୋଲି କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁ ଭଲ ଭାବରେ ଦର୍ଶନ କରିପାରିବା ଭଳି ବ୍ୟବସ୍ଥା କରାଯିବା ଉଚିତ । କୌଣସି ବ୍ୟକ୍ତି ଏଥିପାଇଁ ସମସ୍ୟାରେ ନ ପଡ଼ିବା ଦରକାର । କୌଣସି ଭେଦଭାବ ନ କରି ସମସ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ବୈଠକରେ ଜାନୁୟାରୀ ୨୨ ତାରିଖ ପରେ ସାଧାରଣ ଲୋକଙ୍କୁ ରାମ ମନ୍ଦିର ଦର୍ଶନରେ ସହଯୋଗ କରିବାକୁ କୁହାଯାଇଛି । ସମସ୍ତ ବୁଥ୍ ସ୍ତରରୁ କାର୍ଯ୍ୟକର୍ତ୍ତାଙ୍କୁ ରାମ ମନ୍ଦିର ଦର୍ଶନ କରାଇବ ଏବଂ ଏଥିପାଇଁ ଜାନୁୟାରୀ ୨୫ ତାରିଖରୁ ମାର୍ଚ୍ଚ ୨୫ ତାରିଖ ଏହି ଅଭିଯାନ ଚାଲୁ ରହିବ । ତେବେ ରାମଲଲାଙ୍କ ଦର୍ଶନ ସମୟରେ ବିଜେପିର ପତାକା ବ୍ୟବହାର ହେବନି ବୋଲି ନିଷ୍ପତ୍ତି ନେଇଛି ପାର୍ଟି ।

ପ୍ରତିଦିନ ପ୍ରାୟ ୫୦ ହଜାର ଲୋକଙ୍କୁ ଦର୍ଶନ କରାଇବା ସହ ସେମାନଙ୍କ ରହିବା ପାଇଁ ବିଜେପି ତରଫରୁ ବ୍ୟବସ୍ଥା କରାଯାଉଛି । ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆସିବା ପାଇଁ ପ୍ରତିଦିନ ୩୫ଟି ଟ୍ରେନ ଗଡ଼ିବ । ଏହି ଟ୍ରେନ ୪୩୦ ସହରକୁ ଅଯୋଧ୍ୟା ସହ ସଂଯୋଗ କରିବ ବୋଲି ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ଅଯୋଧ୍ୟାକୁ ମୋଟ ୩୦ଟି ଟ୍ରେନ ଚାଲୁ ରହିଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବି.ଏଲ ସନ୍ତୋଷ, ସୁନୀଲ ବଂଶଲ, ଦୁଷ୍ୟନ୍ତ ଗୌତମ ଏବଂ କେନ୍ଦ୍ର ରେଳମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.