fbpx

ବଲିଉଡ ଅଭିନେତା ହରିଶ ମାଗନଙ୍କ ପରଲୋକ: ଅନେକ ହିଟ୍ ଫିଲ୍ମରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ: ସିନେ ଜଗତରୁ ଆସିଛି ଏକ ଦୁଃଖଦ ଖବର । ବଲିଉଡ ଅଭିନେତା ହରିଶ ମାଗନଙ୍କ ପରଲୋକ ଘଟିଛି । ୭୬ ବର୍ଷ ବୟସରେ ହରିଶ ଦୁନିଆକୁ ଅଲବିଦା ଜଣାଇଛନ୍ତି । ହରିଶ ‘ଗୋଲମାଲ’, ‘ନମକ ହଲାଲ’, ‘ଇନକାର’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ହରିଶଙ୍କ ମୃତ୍ୟୁ ପଛର କାରଣ ଏବେ ସ୍ପଷ୍ଟ ହୋଇନାହିଁ ।

ଜୁଲାଇ ୧ ତାରିଖରେ ହରିଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଭିନେତାଙ୍କ ପରିବାରରେ ପତ୍ନୀ, ପୁଅ ସିଦ୍ଧାର୍ଥ ଓ ଝିଅ ଆରୁଷୀ ରହିଥିବା ବେଳେ ସମସ୍ତେ ସିଙ୍ଗାପୁରରେ ରହୁଥିବା ଜଣାପଡ଼ିଛି । ହରିଶଙ୍କ ମୃତ୍ୟୁ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଶୋକ ସାଗରରେ ଭସାଇ ଦେବା ସହିତ ତାଙ୍କର ପରିବାର ବର୍ଗ ଭାଙ୍ଗି ପଡ଼ିଛନ୍ତି । ଅଭିନେତାଙ୍କ ବିୟୋଗରେ ବଲିଉଡ ଓ ଅଭିନୟ ଜଗତ ସହିତ ଜଡ଼ିତ ବହୁ ବଡ଼ ବଡ଼ କଳାକାର ଶୋକପ୍ରକାଶ କରିଛନ୍ତି ।

୧୯୪୬ ମସିହା ଡିସେମ୍ବର ମାସ ୬ ତାରିଖରେ ହରିଶ ମୁମ୍ବାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪ରେ ପୁଣେ ସ୍ଥିତ ଭାରତୀୟ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ଏଫଟିଆଇଆଇ)ରୁ ଗ୍ରାଜୁଏସନ କରିଥିଲେ । ଏହାପରେ ସେ ଫିଲ୍ମ ଦୁନିଆରେ ନିଜର ପାଦ ରଖିଥିଲେ । ତାଙ୍କର ହିଟ୍ ଫିଲ୍ମ ମଧ୍ୟରେ ‘ନମକ ହଲାଲ’, ‘ଚୁପକେ ଚୁପକେ’ ‘ଖୁଶବୁ’, ‘ଇନକାର’, ‘ମୁକଦ୍ଦର କା ସିକନ୍ଦର’, ‘ଗୋଲ ମାଲ’ ଓ ‘ଶେହଂଶାହ’ ଆଦି ରହିଛି । ୧୯୯୭ରେ ଆସିଥିବା ‘ଉଫ! ୟେ ମହବତ’ ହରିଶଙ୍କର ଶେଷ ଫିଲ୍ମ ଥିଲା । ମୁମ୍ବାର ଜୁହୁରେ ହରିଶ ନିଜର ଏକ ଅଭିନୟ ଅନୁଷ୍ଠାନ ଚଳାଉଥିଲେ ।

Get real time updates directly on you device, subscribe now.