ବାଏ-ବାଏ ସିଗାରେଟ୍: ଦିନକୁ ୧୦୦ଟି ସିଗାରେଟ୍ ସେବନ କରୁଥିବା ଶାହରୁଖ ଜନ୍ମଦିନରେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଲିଉଡ୍ କିଙ୍ଗ ଖାନ୍ ଶାହରୁଖ ଖାନ୍ ସର୍ବଦା କିଛି ନା କିଛି ନୂଆ କରି ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନଭେମ୍ବର ୨ ତାରିଖରେ ଶାହରୁଖ ବଡ଼ ଧୁମଧାମରେ ନିଜର ୫୯ତମ ଜନ୍ମଦିନ ପାଳନ କରିଥିଲେ । ତେବେ ଏହି ଜନ୍ମଦିନ ଅବସରରେ କିଙ୍ଗ ଖାନ୍ ଏକ ବଡ଼ ଘୋଷଣା କରିଛନ୍ତି । ଏକଦା ଦିନକୁ ୧୦୦ଟି ସିଗାରେଟ୍ ସେବନ କରୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ସେ ଆଗକୁ ଆଉ ସିଗାରେଟ୍ ସେବନ କରିବେ ନାହିଁ ବୋଲି ଜନ୍ମଦିନରେ ବଡ଼ ଘୋଷଣା କରିଛନ୍ତି ଶାହରୁଖ ।

ନଭେମ୍ବର ୨ରେ ନିଜର ୫୯ତମ ଜନ୍ମଦିନ ଅବସରରେ କିଙ୍ଗଖାନ୍ ସିଗାରେଟ୍ ଛାଡ଼ିବା ଘୋଷଣା କରି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସାଧାରର ଭାବେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିବା ବେଳେ ଶାହରୁଖଙ୍କ ଭଳି ଜଣେ ଟପ୍ ସେଲିବ୍ରେଟୀଙ୍କ ଏହି ବଡ଼ ନିଷ୍ପତ୍ତି ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ନିଜର ଜନ୍ମଦିନ ଅବସରରେ ଶାହରୁଖ ମୁମ୍ବାଇର ବାଲ ଗନ୍ଧର୍ବ ରଙ୍ଗ ମନ୍ଦିର ହଲରେ ପହଞ୍ଚିଥିଲେ । ସେଠାରେ ସେ ଫ୍ୟାନ୍ସଙ୍କ ସହିତ କଥାବାର୍ତ୍ତା କରିଥିଲେ ଓ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ଏଥିସହିତ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖୁଲାସା କରିଥିଲେ । ତେବେ ସେହି ଅବସରରେ ଶାହରୁଖ କହିଥିଲେ, ଏହା ଏକ ଖୁସିର ବିଷୟ ଯେ, ମୁଁ ଆଉ ସ୍ମୋକିଂ କରୁନାହିଁ । ଏହି ପରିବର୍ତ୍ତନ ପରେ ତାଙ୍କୁ ଶ୍ୱାସ ସମ୍ବନ୍ଧିତ ସମସ୍ୟା ହେଉଥିବା ଅଭିନେତା କହିଥିଲେ ।