ଇସ୍ରାଏଲରେ ଫଶିଛନ୍ତି ବଲିଉଡ୍ ଅଭିନେତ୍ରୀ ନୁସ୍ରତ: ୨୦ ଘଣ୍ଟା ଧରି ଯୋଗାଯୋଗ ହୋଇନାହିଁ, ପୋଷ୍ଟ ଶେୟାର କଲେ ଟିମ୍ ସଦସ୍ୟ

ନୂଆଦିଲ୍ଲୀ: ଇସ୍ରାଏଲ ଓ ଫିଲିସ୍ତୀନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୦୦ ଟପିଥିବା ଜଣାପଡ଼ିଛି । ତେବେ ଏହା ମଧ୍ୟରେ ଇସ୍ରାଏଲରେ ଜଣେ ଭାରତୀୟ ଅଭିନେତ୍ରୀ ଫଶି ରହିଛନ୍ତି । ବଲିଉଡ ଅଭିନେତ୍ରୀ ନୁସ୍ରତ ଭରୁଚାଙ୍କ ସହିତ ସମ୍ପର୍କ କରିବା ସମ୍ଭବ ହୋଇ ପାରୁନାହିଁ । ଏନେଇ ତାଙ୍କ ଟିମର ଜଣେ ସଦସ୍ୟ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଟିମର ଜଣେ ସଦସ୍ୟ କହିଛନ୍ତି, ନୁସ୍ରତ ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଭାଗ ନେବାକୁ ଇସ୍ରାଏଲ ଯାଇଥିଲେ । ମାତ୍ର ସେଠାରେ ସେ ଫଶି ଯାଇଛନ୍ତି । ୭ ତାରିଖ ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ଶେଷ ଥର ପାଇଁ ନୁସ୍ରତଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ସମୟରେ ସେ ଏକ ବେସମେଣ୍ଟରେ ସୁରକ୍ଷିତ ଭାବେ ରହିଥିଲେ ।

ତେବେ ସେ କେଉଁ ବେସମେଣ୍ଟରେ ରହିଥିଲେ ସେନେଇ ଖୁଲାସା କରାଯାଇ ନାହିଁ । ତା’ପରଠାରୁ ତାଙ୍କ ସହ ସମ୍ପର୍କ କରିବା ସମ୍ଭବପର ହେଉନାହିଁ । ତାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ନେଇ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି । ସେ ନିଶ୍ଚିତ ଭାବେ ସୁସ୍ଥରେ ଓ ସୁରକ୍ଷିତରେ ଘରକୁ ଫେରିବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ନୁସ୍ରତଙ୍କ ଫିଲ୍ମ ‘ଅକେଲୀ’ ରିଲିଜ ହୋଇଥିଲା । ଇରାକ ଗୃହଯୁଦ୍ଧରେ ଫଶିଥିବା ଗୋଟିଏ ଯୁବତୀଙ୍କ କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଥିଲା । ଯୁବତୀ ଜଣଙ୍କ ନିଜ ଘରକୁ ଫେରିବା ପାଇଁ ସଂଘର୍ଷ କରୁଥିବାର ଦୃଶ୍ୟ ଫିଲ୍ମରେ ପ୍ରଦର୍ଶିତ ହୋଇଥିଲା । ତେଣୁ ଫିଲ୍ମର କାହାଣୀ ଏବେ ନୁସ୍ରତଙ୍କ ଜୀବନରେ ବାସ୍ତବ ରୂପ ନେଇଛି ବୋଲି କହି ତାଙ୍କର ଜଣେ ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଅପିଲ କରିଛନ୍ତି ଓ ଏକ ଭିଡିଓ ଅପଲୋଡ୍ କରିଛନ୍ତି ।