fbpx
BSKY
BJD YOUTH SKY
BJD MS SKY

ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଉପରେ ବୋମାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ସମାପ୍ତ ହୋଇଥିଲେ ହେଁ ରାଜନୈତିକ ହିଂସା ଏବେ ବି ଜାରି ରହିଛି । ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ବାହାରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏହି ବୋମାମାଡ଼ରେ ଜୟନ୍ତୀଙ୍କ ଘର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଗତ ମାସ ୩୦ ତାରିଖରେ ମଧ୍ୟ ଦୁର୍ବୃତ୍ତମାନେ ଜୟନ୍ତୀଙ୍କ ଘର ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମାସ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହିଂସାର ଉଗ୍ରରୂପ ଦେଖିବାକୁ ମିଳିଥିଲା । ରାଜଧାନୀର ଜିଜିପି କଲେନୀରେ ଖଣ୍ଡା ବୁଲିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ଓ ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଥିଲା । ରାଜନୈତିକ ଆକ୍ରୋଶରୁ ଉକ୍ତ ଘଟଣା ଘଟିଥିବା ଅନୁମାନ କରାଯାଇଥିଲା ।

ସେହିପରି ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ମଧ୍ୟ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ପରାଜିତ ପ୍ରାର୍ଥୀଙ୍କ ବାଇକକୁ କିଛି ଦୁର୍ବୃତ୍ତ ଭାଙ୍ଗିବା ସହ ଗାଳିଗୁଲଜ କରିଥିଲେ । ଗତ ନିର୍ବାଚନରେ ପରାଜିତ ହୋଇଥିବା ଦମ୍ପତିଙ୍କ ବାଇକକୁ କିଛି ଦୁର୍ବୃତ୍ତ ପଥରରେ ଛେଚି ଦେଇଥିଲେ ।

Get real time updates directly on you device, subscribe now.