fbpx

ଓମିକ୍ରନ ସହିତ ଲଢ଼ିବା ପାଇଁ କାମରେ ଆସିବନି ବୁଷ୍ଟର୍ ଡୋଜ୍, ତିଆରି କରିବାକୁ ପଡ଼ିବ ନୂଆ ଭାକସିନ୍- ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ଓମିକ୍ରନ ଭାରିଆଣ୍ଟ୍ ସହିତ ଲଢ଼ିବା ପାଇଁ ବୁଷ୍ଟର୍ ଡୋଜ୍ ରଣନୀତି ଆପଣାଉଛନ୍ତି । ହେଲେ ବିଶେଷଜ୍ଞ ମାନେ ଭବିଷ୍ୟତରେ ଆସିବାକୁ ଥିବା ସମ୍ଭାବ୍ୟ ଭାରିଆଣ୍ଟ ବିରୋଧରେ ଏହି ରଣନୀତିକୁ ସ୍ଥାୟୀ ସମାଧାନ ବୋଲି ମାନୁନାହାନ୍ତି । ନେଚର୍ ପତ୍ରିକାରେ ପ୍ରକାଶିତ ତଥ୍ୟ ମୁତାବକ, ଏବେ ବୁଷ୍ଟର୍ ଡୋଜ୍ ଉପରେ କାମ କରିବା ବଦଳରେ ଆଉ ଏକ ଶକ୍ତିଶାଳୀ ଟିକା ପ୍ରସ୍ତୁତିରେ ଲାଗିବା ଆବଶ୍ୟକ । ଯେଉଁ ଟିକା ଆଗାମୀ ଦିନରେ ଆସିବାକୁ ଥିବା ଭାରିଆଣ୍ଟ୍ ସହିତ ଲଢ଼ିବାରେ ସକ୍ଷମ ହୋଇପାରିବ । ସୂଚନାଯୋଗ୍ୟ, ଏବେ ଅନେକ ଦେଶରେ ବୁଷ୍ଟର୍ ଡୋଜ୍ ଟିକା ଓ ଚତୁର୍ଥ ଡୋଜ୍ ଟିକା ଦିଆଯାଉଛି ।

ମାସାଚୁସେଟ୍ସ ସ୍ଥିତ ରେଗନ୍ ଇନଷ୍ଟିଚ୍ୟୁଟ୍ ର ଏକ ପ୍ରତିରକ୍ଷା ବିଶେଷଜ୍ଞ ଏଲେଗାନ୍ଦ୍ରା ବାଲାଜ୍ ଙ୍କ କହିବା କଥା ଯେ, ଓମିକ୍ରନ୍ ଭାରିଆଣ୍ଟ୍ ବର୍ତ୍ତମାନ ବୁଷ୍ଟର୍ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରୁଛି । ବୁଷ୍ଟର୍ ଡୋଜ୍ କୁ ନେଇ ରହିଥିବା ଚିନ୍ତାଧାରାକୁ ଓମିକ୍ରନ ବଦଳାଇ ଦେଇଛି । ପ୍ରଥମରୁ ସଂକ୍ରମଣର ସାମନା କରିଥିବା ବ୍ୟକ୍ତିର ଶରୀରର ପ୍ରତିରକ୍ଷାକୁ ଟିକା ନେଇଥିବା ବ୍ୟକ୍ତି ସହିତ ସମାନ ବୋଲି ଧରାଯାଉଥିଲା । ହେଲେ ଓମିକ୍ରନ ଭାରିଆଣ୍ଟ୍ ଭଳି ଦ୍ରୁତ ସଂକ୍ରାମକ ଭାରିଆଣ୍ଟ୍ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରଥମେ ସଂକ୍ରମିତ ହୋଇଥିବା ବ୍ୟକ୍ତି ପାଖରେ ଏତେ ବି କ୍ଷମତା ନାହିଁ ଯେ, ସେ ପୁଣିଥରେ ସଂକ୍ରମଣର ପ୍ରଭାବକୁ ସାମନା କରିପାରିବ ।

କାରଣ ଓମିକ୍ରମ ବ୍ୟାପିବା ଦିନଠାରୁ ଦେଖିବାକୁ ମିଳିଛି ଯେ, ବୁଷ୍ଟର୍ ଡୋଜ୍ ନେଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କର ଇମ୍ୟୁନିଟି ବଢ଼ାଇବା ପାଇଁ ବୁଷ୍ଟର୍ ଡୋଜ୍ ଦିଆଯାଉଛି । ଯାହାଫଳରେ ସଂକ୍ରମଣର ସ୍ତର ଏବଂ ମେଡିକାଲରେ ଆଡମିଟ୍ ହେବା ସଂଖ୍ୟାକୁ କମ୍ କରାଯାଇପାରିବ । ଆଉ ଏହା ସଫଳ ବି ହେଉଛି । କାରଣ ଓମିକ୍ରନ ଭାରିଆଣ୍ଟ୍ ସଂକ୍ରାମକ ସତ କିନ୍ତୁ ପ୍ରଭାବୀ ନୁହେଁ । ଲୋକଙ୍କୁ ଏହା କମ୍ କ୍ଷତି ପହଞ୍ଚାଉଛି ।

Get real time updates directly on you device, subscribe now.