fbpx

OSSTET ରେଜଲ୍ଟ କେବେ ପ୍ରକାଶ ପାଇବ: ସୂଚନା ଦେଲେ ବୋର୍ଡ ଉପସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଆଶାୟୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତିରେ ଆବେଦନ କରିପାରୁ ନାହାନ୍ତି । ଉକ୍ତ ନିଯୁକ୍ତିର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ତା’ ପୂର୍ବରୁ ଆବେଦନ କରିବାକୁ ଆଶାୟୀମାନେ ଦାବି କରୁଛନ୍ତି । ଏଭଳି ସ୍ଥିତିରେ ରେଜଲ୍ଟ ପ୍ରକାଶନରେ ବିଳମ୍ବ ହେଲେ ଓଏଭି ଶିକ୍ଷକ ଆବେଦନରୁ ବହୁ ଆଶାୟୀ ବଞ୍ଚିତ ହୋଇ ପାରନ୍ତି ।

ଗତ ଜାନୁଆରୀ ମାସ ୧୯ ତାରିଖରେ ଓଏସଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଫେବୃଆରୀ ୨୯ରେ ଏହାର ଆନସର କି ଜାରି କରାଯାଇଥିଲା । ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆନସର କି ବିପକ୍ଷରେ ଅଭିଯୋଗ ଦାଖଲ କରିଥିଲେ । ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ ପୂର୍ବରୁ ସମସ୍ତ ପ୍ରକିୟା ସମାପ୍ତ ହୋଇଛି । ଫଳ ପ୍ରକାଶ ପାଇବା ପରେ ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ ବିଭିନ୍ନ ଶିକ୍ଷକ ପଦ ପାଇଁ ଆବେଦନ କରିପାରିବେ ।

ତେଣୁ ଓଏଭି ଆବେଦନ ଅବଧି ସରିବା ପୂର୍ବରୁ ଫଳ ପ୍ରକାଶ କଲେ ବହୁ ଆଶାୟୀ ଉପକୃତ ହୋଇ ପାରନ୍ତେ ବୋଲି ବହୁ ପରୀକ୍ଷାର୍ଥୀ ସୋସିଆଲ ମିଡ଼ିଆରେ ଦାବି କରିଛନ୍ତି । ଏନେଇ ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରଥମେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ପ୍ରାଥମିକତା ଦିଆଯାଉଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଓଏସଏସଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ । ଆସନ୍ତା ମାସରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଓଏଭି ଶିକ୍ଷକ ଆବେଦନ ଅବଧି ଯଦି ବୃଦ୍ଧି ନହୁଏ ତେବେ ବହୁ ଓଏସଏସଟିଇଟି ପରୀକ୍ଷାର୍ଥୀ ସେଥିରୁ ଆବେଦନ କରିବାରୁ ବଞ୍ଚିତ ହୋଇପାରନ୍ତି ।

Get real time updates directly on you device, subscribe now.