fbpx

ବ୍ରହ୍ମପୁତ୍ର ନଦୀରେ ୨ ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା: ଜଣେ ମୃତ, ୪୨ ଉଦ୍ଧାର, ୭୦ରୁ ଉର୍ଦ୍ଧ୍ବ ନିଖୋଜ

ବଢ଼ିପାରେ ମୃତ୍ୟୁ ସଂଖ୍ୟା...

ଗୌହାଟୀ : ଆସାମର ବ୍ରହ୍ମପୁତ୍ର ନଦୀରେ ବୁଧବାର ବଡ଼ ଧରଣର ଡ଼ଙ୍ଗା ଦୁର୍ଘଟଣା ଘଟିଛି । ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ୨ଟି ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ବେଳେ ଉଭୟ ଡଙ୍ଗାରେ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ଲୋକ ରହିଥିଲେ । ଦୁର୍ଘଟଣା ପରେ ଦୁଇଟି ଯାକ ଡଙ୍ଗା ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ଯାତ୍ରୀମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଆହୁରି ୭୦ରୁ ଊଦ୍ଧ୍ୱର୍ଙ୍କ ସନ୍ଧାନ ଜାରି ରହିଛି। ନିଖୋଜଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ସେହିପରି କିଛି ଲୋକ ପହଁରି କୂଳକୁ ଆସିଥିବା ଜଣାପଡ଼ିଛି ।

ସୂଚନା ମୁତାବିକ, ଡଙ୍ଗାରେ ଯାତ୍ରୀମାନେ ଜୋରହାଟ ନିମତି ଘାଟରୁ ମାଜୁଲି ରିଭର ଆଇଲାଣ୍ଡକୁ ଏକ ଡଙ୍ଗା ଯାଉଥିବା ବେଳେ ଅନ୍ୟପଟୁ ଇନ୍‌ଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଡିର୍ପାଟମେଣ୍ଟର ସରକାରୀ ଅଧିକାରୀମାନଙ୍କୁ ନେଇ ଆସୁଥିବା ଅନ୍ୟ ଏକ ଡଙ୍ଗା ସହ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ଜୋରହାଟର ନିମତି ଘାଟରେ ଡଙ୍ଗା ଦୁଇଟି ପରସ୍ପରକୁ ଧକ୍କା ଦେଇଛନ୍ତି । ଦୁର୍ଘଟଣା ପରେ ଡଙ୍ଗା ବୁଡ଼ିବା ଆରମ୍ଭ କରିଥିଲା । କିଛି ଲୋକ ଏଥିରେ ଝୁଲି ରହିଥିବା ବେଳେ ଆଉ କିଛି ଲୋକ ଜୀବନ ବିକଳରେ ପାଣିକୁ ଡେଇଁ ପଡ଼ିଥିଲେ । ଡଙ୍ଗାରେ ଥିବା ଲୋକଙ୍କ ଆସବାବପତ୍ର ଓ ବାଇକ୍‌ ନଦୀ ଜଳରେ ଭାସି ଯାଇଛି । ଖବର ପାଇ ଏନ୍‌ଡ଼ିଆର୍‌ଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଗୋଟିଏ ମୃତଦେହ ମିଳିଥିବା ସୂଚନା ମିଳିଛି । ତେବେ ନିଖୋଜଙ୍କ ସଂଖ୍ୟ ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉଭୟ ମଜୁଲି ଓ ଜୋରହାଟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେ ମନ୍ତ୍ରୀ ବିମଲ ବୋରାଙ୍କୁ ତୁରନ୍ତ ମଜୁଲି ଯାଇ ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି । ପୂରା ଉଦ୍ଧାର କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସମୀର କୁମାର ସିହ୍ନା ନଜର ରଖିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ନିମତି ଘାଟ ଯିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.