fbpx

ସ୍ପଷ୍ଟ କଲେ ମେରୀ କମ: ‘ମୁଁ ଅବସର ଘୋଷଣା କରିନାହିଁ’

Advertisement

ନୂଆଦିଲ୍ଲୀ: ୬ ଥରର ବିଶ୍ୱ ଚାମ୍ପିୟନ ଓ ୨୦୧୨ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ମେରୀ କମ୍ ବକ୍ସିଂରୁ ଅବସର ଗ୍ରହଣ କରିନାହାନ୍ତି । ୪୧ ବର୍ଷୀୟା ମେରୀଙ୍କ ଅବସରକୁ ନେଇ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ଅନ୍ତର୍ଜାତୀୟ ବକ୍ସିଂ ସଂଘ (ଆଇବିଏ)ର ନିୟମ ଅନୁସାରେ ପୁରୁଷ ଓ ମହିଳା ପ୍ରତିଯୋଗୀ ୪୦ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ତେଣୁ ଅନ୍ତର୍ଜାତୀୟ ସଂଘର ନିୟମ ଅନୁସାରେ ମେରୀ ବକ୍ସିଂରୁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ଅବସରକୁ ନେଇ ମେରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୁଁ ବର୍ତ୍ତମାନ ସୁଦ୍ଧା ସନ୍ନ୍ୟାସ ନେଇ କୌଣସି ଘୋଷଣା କରି ନାହିଁ । ଏବେ ବି ଏଲିଟ ସ୍ତରରେ ଖେଳିବା ପାଇଁ ମୋର କ୍ଷୁଧା ରହିଛି । ମାତ୍ର ଆଇବିଏର ନିୟମ ଏପରି କରିବାକୁ ଅନୁମତି ପ୍ରଦାନ କରିନଥାଏ । ମୁଁ ଯେତେବେଳେ ଅବସର ଗ୍ରହଣ କରିବି ସେତେବେଳେ ବ୍ୟକ୍ତିଗତ ଭାବେ ମିଡ଼ିଆ ସାମ୍ନାକୁ ଆସି ଏନେଇ ଘୋଷଣା କରିବି । ବର୍ତ୍ତମାନ ମୁଁ ମୋର ଫିଟନେସ୍ ଉପରେ ଧ୍ୟାନ ଦେଉଛି ।’

ମେରୀ କମ ୬ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ବିଶ୍ୱର ଏକମାତ୍ର ବକ୍ସର । ସେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ବକ୍ସର । ସେ ୨୦୨୩ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ୪୮ କିଲୋଗ୍ରାମ ବର୍ଗରେ ଲଢ଼େଇ କରୁଥିବା ମେରୀ ୨୦୦୨, ୨୦୦୫, ୨୦୦୬, ୨୦୦୮ ଓ ୨୦୧୦ ବିଶ୍ୱ ଚାମ୍ପିୟନ ହୋଇଥିଲେ । ୨୦୧୮ରେ ସେ ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲେ ।

Get real time updates directly on you device, subscribe now.