ଅନୁଗୁଳ: ବର୍ତ୍ତମାନ ସମୟୟର ଅନେକ ଯୁବକ ଯୁବତୀ ସୋସିଆଲ ମିଡ଼ିଆରୁ ଗଢି ଉଠିଥିବା ସମ୍ପର୍କ ଉପରେ ଭରସା କରି ଅନେକ ବିପତ୍ତିରେ ପଡୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଅନୁଗୁଳ କିଶୋରନଗର ବ୍ଲକ୍ ହଣ୍ଡପା ଥାନା ଅଞ୍ଚଳରେ। ପ୍ରେମିକା ସାମନାରେ ପ୍ରେମିକଙ୍କୁ ଠେଙ୍ଗାରେ ପିଟିପିଟି ଜଣେ ୧୮ ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି।
ମଙ୍ଗଳବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ। ପୋଲିସ ସୂଚନା ଅନୁଯାୟୀ ହଣ୍ଡପା ଥାନା ଗୋବିନ୍ଦପୁର ଗ୍ରାମ ଜଙ୍ଗଲରେ ଏହା ଘଟିଛି। ମୃତକ ହେଲେ ମାନପୁର ଗ୍ରାମର ଦିଲ୍ଲୀପ ସାମଲଙ୍କ ପୁଅ ରାହୁଲ ସାମଲ (୧୮)।
ସୂଚନା ଅନୁସାରେ ରାହୁଲଙ୍କ ସହିତ ବଇଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଇନ୍ଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ରାତିରେ ଯୁବତୀ ଜଣକ ରାହୁଲକୁ ଡାକିଥିଲେ। ପରେ ଦୁହେଁ ଗୋବିନ୍ଦପୁର ଗ୍ରାମ ଜଙ୍ଗଲକୁ ଯାଉଥିବା ବେଳେ ବାଟରେ ଜଣେ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲା। ପରେ ରାହୁଲଙ୍କୁ ଠେଙ୍ଗାରେ ନିର୍ଧୂମ୍ ପିଟିବାରେ ଲାଗିଥିଲା। ଯୁବତୀ ଜଣକ ଏହା ଦେଖି ଜୀବନ ଭୟରେ ସେଠାରୁ ପଳାଇ ଆସି ନିକଟରେ ଥିବା ଜଣଙ୍କ ଘରେ ପଶି ଯାଇଥିଲେ। ସେଠାରୁ ବଇଣ୍ଡା ଫାଣ୍ଡିକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ।
ଏହାପରେ ବୁଧବାର ସକାଳେ ଖବର ପାଇ ପୋଲିସ ସାଇଣ୍ଟଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିଲା। ତେବେ ରାହୁଲକୁ କାହିଁକି, କିଏ ହତ୍ୟା କଲା? ଏହା ପଛରେ କାରଣ କ’ଣ? ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଏହି ହତ୍ୟା ପଛରେ ଜଣେ ନା ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ତାହା ମଧ୍ୟ ଜଣାପଡ଼ି ନାହିଁ।