fbpx

ବିକ୍ରି ହୋଇଯିବ Bharat Petroleum! ଅପେକ୍ଷା କେବଳ ଆଉ ମାସ, ବହୁତ ଲାଭରେ ରହିଥିଲା ଏହି ସରକାରୀ କମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)କୁ ଘରୋଇକରଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହୋଇଯିବ ବୋଲି ଜଣାପଡ଼ିଛି । ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିପମ) ସେକ୍ରେଟାରୀ ତୁହିନ କାନ୍ତ ପାଣ୍ଡେ ଏନେଇ ସୂଚନା ଦେଇଛନ୍ତି ।

ତେବେ ବିପିସିଏଲର ଅଧିଗ୍ରହଣ ନେଇ ଆଗ୍ରହ ପ୍ରକାଶ କରିଥିବା ୩ଟି କମ୍ପାନୀଙ୍କ ମଧ୍ୟରୁ ଦୁଇଟି କମ୍ପାନୀ ଉକ୍ତ ପ୍ରକ୍ରିୟାରୁ ଓହରି ଯାଇଥିଲେ । ଏହାପରେ ସରକାର ବିପିସିଏଲର ପ୍ରାଇଭେଟାଇଜେସନ ପ୍ରକ୍ରିୟାକୁ ରଦ୍ଦ କରିଦେଇଥିଲେ । ଏନେଇ ଶ୍ରୀ ପାଣ୍ଡେ କହିଛନ୍ତି ଯେ, କମ୍ପାନୀର ଘରୋଇକରଣ ନେଇ ଆମକୁ ଆଉ ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ସ୍ଥିତିର ସମୀକ୍ଷା କରାଯାଉଛି । କିଛିଦିନ ପୂର୍ବରୁ ବଜାରର ସ୍ଥିତି ଅନୁକୂଳ ନଥିଲା, ତେଣୁ ଏନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିପାରିନଥିଲେ ।

କେନ୍ଦ୍ର ସରକାର ରଣନୀତିକ ବିନିବେଶ ମାଧ୍ୟମରେ ବିପିସିଏଲରୁ ନିଜର ୫୨.୯୮ ପ୍ରତିଶତ ଅଂଶଧନକୁ ବିକ୍ରି କରିବା ନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଗତ ୨୦୨୦ରେ ସରକାର କମ୍ପାନୀର ବିକ୍ରି ନେଇ ଟେଣ୍ଡର ଆହ୍ୱାନ କରିଥିଲେ । ସେହି ବର୍ଷ ନଭେମ୍ବର ସୁଦ୍ଧା ମାତ୍ର ୩ଟି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଫଳରେ ସରକାର ଏହାକୁ ବିକ୍ରି କରିବା ନେଇ ସଠିକ୍ ନିଷ୍ପତ୍ତି ନେଇପାରି ନଥିଲେ । ୨୦୨୩ ଆର୍ଥିକ ବର୍ଷ ପାଇଁ ସରକାର ୬୫ ହଜାର କୋଟି ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ସରକାର ୨୪,୦୪୬.୪୦ କୋଟି ସଂଗ୍ରହ କରିଥିବା ଡିପମ୍ ସେକ୍ରେଟାରୀ ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.