fbpx

ବ୍ରଜରାଜନଗର ଉପନିର୍ବାଚନ: କେବେଠୁ ପ୍ରଚାର ଆରମ୍ଭ କରିବ BJP? ଜାଣନ୍ତୁ ତାରିଖ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି ରଣନୀତି । ବିଜେଫି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସହ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା ହୋଇଛି । ଅନ୍ୟପଟେ ଉପନିର୍ବାଚନ ପାଇଁ ମେ’ ୨୦ରୁ ପ୍ରଚାର ଆରମ୍ଭ କରିବାକୁ ଯାଉଛି ବିଜେପି । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ‘ଖୁବଶୀଘ୍ର ବିଜେପିର ଷ୍ଟାର କ୍ୟାମ୍ପେନର ପ୍ରଚାର ମଇଦାନକୁ ଓହ୍ଲାଇବେ । ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ, ପ୍ରହଲ୍ଲାଦ ଯୋଶୀ ପ୍ରଚାର କରିବେ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ପ୍ରଚାର ମଇଦାନକୁ ଓହ୍ଲାଇବେ । ଛତିଶଗଡ଼ ନେତୃତ୍ୱଙ୍କ ପ୍ରଭାବ ଉପନିର୍ବାଚନରେ ରହିବ ।’

ତେବେ ବ୍ରଜରାଜନଗର ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ପ୍ରଚାର କରିବେ । ଏହା ସହ ବିଜେଡି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁ ମଧ୍ୟ ରହିଛି । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି ।

ସେହିପରି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଶ୍ୱେଶ୍ୱର ଟୁଡୁ, ଡି.ପୁରନ୍ଦେଶ୍ୱରୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯାଇଛି । ଏହା ସହ ସମ୍ବିତ ପାତ୍ର, ରମଣ ସିଂ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ରହିଛି ।

ସେହିପରି କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ ଉପନିର୍ବାଚନ ପାଇଁ ପ୍ରଚାର କରିବେ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସର ପ୍ରଚାର ତାଲିକାରେ ଛତିଶଗଡ଼ର କିଛି ମନ୍ତ୍ରୀ ସାମିଲ ଅଛନ୍ତି । ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକ ଶୋକ ସଭାରେ ଯୋଗଦେଇ ଫେରିବା ପରେ କିଶୋର ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଓ ଥରେ ରାଜ୍ୟସଭା ସାଂସଦ ପଦରେ ରହିଥିଲେ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

Get real time updates directly on you device, subscribe now.