ହସ୍ପିଟାଲରେ ଟଙ୍କା ବାନ୍ତି କଲେ ତହସିଲଦାର, ଗିରଫଦାରୀ ଏଡାଇବାକୁ ଭୟରେ ଗିଳିଦେଇଥିଲେ ୫୦୦୦ ଟଙ୍କା

କଟନୀ: ମଧ୍ୟପ୍ରଦେଶ କଟନୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ତହସିଲଦାର ଲାଞ୍ଚ ଟଙ୍କାକୁ ପାଟିରେ ପରାଇ ଗିଳି ଦେଇଛନ୍ତି । କୁହାଯାଉଛି ଏହି ତହସିଲଦାରଙ୍କୁ ଲୋକାୟୁକ୍ତ ଟିମ୍ ଲାଞ୍ଚ ନେବାବେଳେ ଧରି ଦେଇଥିଲେ । ଏହାପରେ ସେ ନିଜକୁ ବଞ୍ଚାଇବାକୁ ଯାଇ ଲାଞ୍ଚ ଟଙ୍କାକୁ ପାଟିରେ ପୁରାଇ ଗିଳି ଦେଇଥିଲେ । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ମିଳିଥିବା ରିପୋର୍ଟ ଅନୁସାରେ ବିଲହରୀ ହଲକା ଗାଁର ଚନ୍ଦନ ସିଂହଙ୍କୁ ଜମିଜମା କେସ୍ ରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଚନ୍ଦନ ସିଂ ଏ ବିଷୟରେ ଜବଲପୁର ସ୍ଥିତ ଲୋକାୟୁକ୍ତଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଲୋକାୟୁକ୍ତ ଟିମ୍ ଠିକ୍ ସମୟରେ ପହଞ୍ଚି ତହସିଲଦାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ସ୍ପଟ୍ ରେ ଧରିଥିଲେ । କିନ୍ତୁ ତହସିଲଦାର ଜଣକ ଭୟରେ ୯ଟି ୫୦୦ ଟଙ୍କିଆ ନୋଟ୍ କୁ ଗିଳି ଦେଇଥିଲେ ।

ଏହାପରେ ଲୋକାୟୁକ୍ତ ଟିମ୍ ର ସଦସ୍ୟମାନେ ତାଙ୍କ ପାଟିରୁ ନୋଟ୍ ବାହାର କରିବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ପାଟିରୁ ଟଙ୍କା ନ ବାହାରିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ପଠା ଯାଇଥିଲା । ସେଠାରେ ବହୁ କଷ୍ଟରେ ତାଙ୍କ ପାଟିରୁ ଟଙ୍କା ବାହାର କରାଯାଇଥିଲା । ଏବେ ଅଭିଯୁକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକାୟୁକ୍ତ ଟିମ୍ ର ବରିଷ୍ଠ ଅଧିକାରୀ କହିଛନ୍ତି ।