ମଦ ପାଇଁ ଚୁରମାର ହେଲା ବାହାଘର, କନ୍ୟାଠୁ ଚାପୁଡା ଖାଇ ଶିଶୁପାଳ ହୋଇ ଘରକୁ ଫେରିଲା ବର
ମଦ ନିଶାରେ ବର ଚିହ୍ନି ପାରିଲାନି କନ୍ୟା । ସାଙ୍ଗକୁ ବରମାଳା ପିନ୍ଧାଇବାରୁ ରାଗିଯାଇ କନ୍ୟା ଭାଙ୍ଗିଲା ବାହାଘର ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ମଦ୍ୟପ ବରକୁ କନ୍ୟା ବିନା ଫେରିବାକୁ ପଡିଛି । ଏହି ଘଟଣା ବରେଲିର କ୍ଲୋଡିଆ ଥାନାର ବରଖେଡା ଗାଁର ।
ଏଠାରେ ବିବାହ ଉତ୍ସବରେ, ବର ରବିନ୍ଦ୍ର କୁମାର ମଞ୍ଚ ଉପରେ କନ୍ୟାକୁ ଅପେକ୍ଷା କରିଥିଲେ । କନ୍ୟା ମାଳା ଧରି ମଞ୍ଚ ଉପରେ ପହଞ୍ଚିବା ମାତ୍ରେ, ବର ମଦ୍ୟପାନ କରି କନ୍ୟାକୁ ଅଣଦେଖା କରି ଭୁଲବଶତଃ ତାଙ୍କ ବନ୍ଧୁଙ୍କୁ ମାଳା ପିନ୍ଧାଇ ଦେଲେ । ଏହା ଦେଖି କନ୍ୟା ରାଗିଗଲେ ଏବଂ ସମସ୍ତଙ୍କ ସାମ୍ନାରେ ବରକୁ ଚାପୁଡ଼ା ମାରିଲା ।
ଏହା ପରେ ବିବାହ ଉତ୍ସବରେ ହଙ୍ଗାମା ହୋଇଥିଲା । ଦୁଇ ପକ୍ଷ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ଚେୟାର ଫିଙ୍ଗାଗଲା ଏବଂ ଖାଦ୍ୟ ପ୍ଲେଟ ଫିଙ୍ଗାଗଲା ।
ଯେତେବେଳେ ମାମଲା ବଢ଼ିଗଲା, ପୋଲିସକୁ ଡକାଇବାକୁ ପଡିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରକୁ ଥାନାକୁ ନେଇ ପରୀକ୍ଷା କରିଲା । ଏପିରିକି ପୋଲିସ ବର ବିପକ୍ଷରେ ମାମଲା ମଧ୍ୟ ଦାୟର କରିଛି ।
ତେବେ ଏହି ଘଟଣା ପରେ ବରର ପରିବାର ଲୋକେ ବିବାହ ପାଇଁ କନ୍ୟାକୁ ବୁଝାଇବାକୁ ଚେଷ୍ଚା କରିଥିଲେ । କିନ୍ତୁ କନ୍ୟା ରାଜି ହୋଇନଥିଲା । ଫଳରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା ।