ଲୋକଙ୍କଠୁ ଠକି ୪୦୦୦ କୋଟିର ମାଲିକ ଦିଅର ଭାଉଜ,ଏମିତି ହେଲା ପର୍ଦ୍ଦାଫାସ
ହାଇଦ୍ରାବାଦରେ ଚାଞ୍ଚଲ୍ୟକର ଘଟଣା। ଦିଅର-ଭାଉଜ ମାଲାମାଲ
ବିହାର: ହାଇଦ୍ରାବାଦରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। ଦିଅର ଭାଉଜ ମିଶି ସାଧାରଣ ଲୋକଙ୍କର ପାଖାପାଖି ୪୦୦୦ କୋଟି ଟଙ୍କାକୁ ଚଳୁ କରିଥିବା ଅଭିଯୋଗ ହୋଇଛି।
ଦୁହେଁ ଦିଅର ଭାଉଜ ସୁଷମା ରାଜ ଏବଂ ରବିନ୍ଦ୍ର କୁମାର ସିଂହ ହାଇଦ୍ରାବାଦର ଏକ କମ୍ପାନୀ ମାଧ୍ୟମରେ ଇନଭେଷ୍ଟର ମାନଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲେ।
ଇନଭେଷ୍ଟରମାନଙ୍କ ଅଭିଯୋଗ କ୍ରମେ ତେଲେଙ୍ଗାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା-ହୀରା ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ଏହି ମାମଲାରେ ପୋଲିସ ଠକେଇର ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରୁଛି।
ସେମାନଙ୍କ ପାଖରୁ ପୋଲିସ ପାଇଥିବା ଟଙ୍କା ଏବଂ ଅଳଙ୍କାର କେଉଁଠାରୁ ଆସିଲା ଏବଂ ଏଗୁଡ଼ିକ ଠକେଇ ଟଙ୍କାରେ ସାମିଲ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବିହାରର ଆରା ଜିଲ୍ଲାର ସୁଷମା ରାଜ ଏବଂ ରବିନ୍ଦ୍ର କୁମାର ସିଂହ। ଦୁହେଁ କିଛି ଦିନ ଧରି ପାଟନାର ଦାନାପୁରର ବିଜୟ ନଗରର ଭେନସ୍ ପାରାଡାଇଜ୍ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୧୩୦୫ରେ ଲୁଚି ରହିଥିଲେ।
ତେଲେଙ୍ଗାନା ପୋଲିସ ସେମାନଙ୍କ ବିଷୟରେ ସୂଚନା ପାଇବା ପରେ, ଦାନାପୁର ପୋଲିସଙ୍କ ସହାୟତାରେ ଚଢାଉ କରି ଉଭୟଙ୍କୁ ହେପାଜତକୁ ନେଇଥିଲା।
ଦାନାପୁର ପୋଲିସ ଷ୍ଟେସନର ମୁଖ୍ୟ ପ୍ରଶାନ୍ତ କୁମାର ଭରଦ୍ୱାଜ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କଠାରୁ ୮ ଲକ୍ଷ ୩୦ ହଜାର ୯୧୦ ନଗଦ ଟଙ୍କା, ୬ଟି ପାସପୋର୍ଟ, ୧୦ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ କ୍ରେଡିଟ୍ କାର୍ଡ, ୩ଟି ପାସବୁକ୍, ୧୬ଟି ପରିଚୟପତ୍ର, ୮ଟି ଦାମୀ ଘଣ୍ଟା, ୧୧ ଖଣ୍ଡ ସୁନା ଏବଂ ହୀରା ଅଳଙ୍କାର ଜବତ କରାଯାଇଛି।
ତେଲେଙ୍ଗାନା ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ହାଇଦ୍ରାବାଦ ଚାଲିଯାଇଛି। ସେଠାରେ ତାଙ୍କୁ ପଚରାଉଚରା କରାଯିବ। ଏହି ଠକେଇରେ ଆହୁରି ଅନେକ ଲୋକ ସାମିଲ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।