fbpx

ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର; ଆୟ ଠାରୁ ୪୪୫ % ଅଧିକ ସଂପତ୍ତି କରିଥିଲେ ଠୁଳ

ଭୁବନେଶ୍ୱର: ଗିରଫ ହୋଇ ଜେଲ୍ ଗଲେ ବୌଦ୍ଧ RTO ବସନ୍ତ ମହାପାତ୍ର । ଆୟ ଠାରୁ ୪୪୫ ପ୍ରତିଶତ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଆଜି ସକାଳେ ବସନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ସେଲ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବସନ୍ତ ଗିରଫ ହୋଇଥିଲେ । ବସନ୍ତଙ୍କର ସମୁଦାୟ ୧୯ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପାହାଳରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ ଫ୍ଲାଟ୍‌, ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗାଲେରିଆରେ ଏଗ୍ରିମେଣ୍ଟ୍‌ ଅନୁଯାୟୀ ୨ କୋଟି ଟଙ୍କାର ଦୁଇଟି କମର୍ସିଆଲ୍‌ ଶପିଂ କମ୍ପ୍ଲେକ୍ସ, କଳ୍ପନାଛକ ଉତ୍କଳ ରୟାଲ ରେସିଡେନ୍ସିର ୮ମ ମହଲାରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ଠାବ ହୋଇଛି।

ସେହିପରି ବସନ୍ତ ଭୁବନେଶ୍ୱର କଳାରାହାଙ୍ଗସ୍ଥିତ ଜେଡ୍‌-୧ ଇଷ୍ଟେଟ୍‌ ଆଇକନିକ୍‌ ଟାୱାରର ବ୍ଲକ୍‌-୪ରେ ଥିବା ୫ ବିଏଚ୍‌କେ ଫ୍ଲାଟ୍‌ କିଣିବାକୁ ଅଗ୍ରିମ ୧.୩୫ କୋଟି ଏବଂ ବେଙ୍ଗାଲୁରୁ ସିଟିସ୍ଥିତ ଓଜୋନ୍‌ ଏଲିଗାଣ୍ଟ୍‌ ଆପାର୍ଟମେଣ୍ଟରେ ଫ୍ଲାଟ୍‌ କିଣିବାକୁ ୮୮ ଲକ୍ଷ ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍‌ ପ୍ରମାଣ ପାଇଛି।

୩ କୋଟି ୯୦ ଲକ୍ଷ ୫୯ ହଜାର ଟଙ୍କାର ବ୍ୟାଙ୍କ, ଜୀବନବୀମା ଜମା, ବଣ୍ଡ୍‌ ଦ୍ୱାରା ନିବେଶ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଠାବ ହୋଇଛି। ଏଥିସହ ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ୭୦୦ ଟଙ୍କା, ୫୯୦ ଗ୍ରାମ ସୁନା ଅଳଙ୍କାର ଓ ୩୧୮ ଗ୍ରାମ୍‌ ରୁପା ଅଳଙ୍କାର, ୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ୨ ବାଇକ ଏବଂ ଘରୋଇ ଆସବାବପତ୍ର ମିଳିଛି।

Get real time updates directly on you device, subscribe now.