ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ଚାଲିଲା ବୁଲଡୋଜର, ଜାତି ଅନୁସାରେ ନିର୍ଦ୍ଧାରଣ କରୁଥିଲେ ଝିଅଙ୍କ ମୂଲ୍ୟ, କରୁଥିଲେ ଧର୍ମାନ୍ତରଣ
ବଲରାମପୁର: ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ଅବୈଧ ଧର୍ମାନ୍ତରଣ ରାକେଟର ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦୀନ ଉର୍ଫ ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ମଙ୍ଗଳବାର (ଜୁଲାଇ ୮, ୨୦୨୫) ପ୍ରଶାସନ ବୁଲଡୋଜର ଚଳାଇଛି। ଏହି କୋଠି ଅବୈଧ ଭାବେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନ ସୋମବାର ସନ୍ଧ୍ୟାରେ ଏହି କୋଠି ଉପରେ ବେଦଖଲ ନୋଟିସ ଚସ୍ପା କରି ସାତ ଦିନ ମଧ୍ୟରେ ଅତିକ୍ରମଣ ହଟାଇବାକୁ ଚେତାବନୀ ଦେଇଥିଲା। ମଙ୍ଗଳବାର ସକାଳେ ତିନୋଟି ବୁଲଡୋଜର ଓ ୨୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କୋଠିର ତାଲା ଭାଙ୍ଗି ଧ୍ୱଂସକାର୍ଯ୍ୟ ଆରମ୍ଭ ହୋଇଥିଲା।
ଉତ୍ତର ପ୍ରଦେଶ ଏଟିଏସ (ଆତଙ୍କବାଦ ନିରୋଧୀ ଦଳ) ଦ୍ୱାରା ଛାଙ୍ଗୁର ବାବାଙ୍କୁ ଲଖନୌର ଏକ ହୋଟେଲରୁ ଗିରଫ କରାଯାଇଥିଲା। ତାଙ୍କ ସହଯୋଗୀ ନୀତୁ ରୋହେରା ଉର୍ଫ ନସରୀନଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଛାଙ୍ଗୁର ବାବା ନିଜକୁ ‘ହଜରତ ବାବା ଜମାଲୁଦ୍ଦୀନ’ ବା ‘ପୀର ବାବା’ ଭାବେ ପ୍ରଚାର କରୁଥିଲେ ଏବଂ ‘ଶିଜର-ଏ-ତୈୟ୍ୟବା’ ନାମକ ପୁସ୍ତକ ମାଧ୍ୟମରେ ଇସଲାମ ଧର୍ମର ପ୍ରଚାର କରୁଥିଲେ। ସେ ହିନ୍ଦୁ ଓ ଅଣ-ମୁସଲମାନ ଝିଅଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲେ ଏବଂ ଜାତି ଅନୁସାରେ ଧର୍ମାନ୍ତରଣର ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ।
ଏଟିଏସ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ରାହ୍ମଣ, କ୍ଷତ୍ରୀୟ ଓ ଶିଖ ଝିଅଙ୍କ ଧର୍ମାନ୍ତରଣ ପାଇଁ ୧୫-୧୬ ଲକ୍ଷ ଟଙ୍କା, ଓବିସି ଝିଅଙ୍କ ପାଇଁ ୧୦-୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ ଜାତିର ଝିଅଙ୍କ ପାଇଁ ୮-୧୦ ଲକ୍ଷ ଟଙ୍କା ରେଟ ନିର୍ଦ୍ଧାରଣ କରାଯାଇଥିଲା। ଗରିବ ଓ ଅସହାୟ ଲୋକଙ୍କୁ ଟଙ୍କା, ବିବାହର ପ୍ରଲୋଭନ, ଡରାଧମକ ଓ ମିଥ୍ୟା ମାମଲାରେ ଫସାଇ ଧର୍ମାନ୍ତରଣ କରାଯାଉଥିଲା। ଏକ ଉଦାହରଣରେ, ଲଖନୌର ଗୁଞ୍ଜା ଗୁପ୍ତାଙ୍କୁ ଅବୁ ଅନସାରୀ ନାମକ ବ୍ୟକ୍ତି ଛଦ୍ମ ହିନ୍ଦୁ ନାମ ‘ଅମିତ’ ବ୍ୟବହାର କରି ପ୍ରେମ ଜାଲରେ ଫସାଇ ଛାଙ୍ଗୁର ବାବାଙ୍କ ଦରଗାହରେ ଧର୍ମାନ୍ତରଣ କରାଇଥିଲେ, ଯେଉଁଠାରେ ତାଙ୍କ ନାମ ଅଲୀନା ଅନସାରୀ ରଖାଯାଇଥିଲା।
ଜାଣିବାକୁ ମିଳିଛି ଯେ, ଛାଙ୍ଗୁର ବାବାଙ୍କ ନେଟୱାର୍କ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନ ସମେତ ତିନୋଟି ରାଜ୍ୟରେ ବ୍ୟାପିଥିଲା। ସେ ବିଦେଶୀ ଫଣ୍ଡିଂ ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ, ଯାହାର ତଦନ୍ତ ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଓ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ମଧ୍ୟ ନିୟୋଜିତ ହୋଇଛନ୍ତି। ଗୈାଙ୍ଗର ସଦସ୍ୟମାନେ ୪୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ଏବଂ ୪୦-୫୦ ଥର ଇସଲାମିକ ଦେଶକୁ ଯାତ୍ରା କରିଥିଲେ।
ଛାଙ୍ଗୁର ବାବା ୨୦୧୫ରେ ସାଇକେଲରେ ଅଙ୍ଗୁଠି ବିକ୍ରି କରୁଥିଲେ, କିନ୍ତୁ ଧର୍ମାନ୍ତରଣ ରାକେଟ ସହ ଜଡ଼ିତ ହେବା ପରେ ସେ ୧୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିଲେ। ତାଙ୍କ ଏହି କୋଠି ମଧ୍ୟ ମଧପୁର ଗାଁରେ ଅବୈଧ ଭାବେ ନିର୍ମିତ ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି କୁହାଯାଉଛି।
ଉତ୍ତର ପ୍ରଦେଶ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ବବିତା ଚୌହାନ ଏହି ଘଟଣାକୁ “ସୁନିୟୋଜିତ ଷଡ଼ଯନ୍ତ୍ର” ବୋଲି ଅଭିହିତ କରି ଛାଙ୍ଗୁର ବାବାଙ୍କ ପାଇଁ ମୃତ୍ୟୁଦଣ୍ଡର ଦାବି କରିଛନ୍ତି। ସେ କହିଛନ୍ତି ଯେ, “ଆମ ଝିଅମାନେ ଜବରଦସ୍ତ ଧର୍ମାନ୍ତରଣର ପରୀକ୍ଷାଗାର ନୁହଁନ୍ତି।” ଏହି ଘଟଣାକୁ ନେଇ ସିଖ ଓ ସିନ୍ଧୀ ସମାଜ ମଧ୍ୟ ତୀବ୍ର ପ୍ରତିବାଦ କରିଛନ୍ତି।
ଏଟିଏସ ଅଧିକାରୀଙ୍କ କହିବା ଅନୁଯାୟୀ, ଛାଙ୍ଗୁର ବାବାଙ୍କ ନେଟୱାର୍କରେ ମୁମ୍ବାଇର ଏକ ସିନ୍ଧୀ ପରିବାର ମଧ୍ୟ ସାମିଲ ଥିଲେ, ଯେଉଁମାନେ ବଲରାମପୁରରେ ତାଙ୍କ ସହ ରହୁଥିଲେ। ଏହା ସହିତ, ତାଙ୍କ ନେଟୱାର୍କ ସଂଯୁକ୍ତ ଆରବ ଏମିରେଟସ (ୟୁଏଇ) ସମେତ ଖାଡ଼ି ଦେଶମାନଙ୍କ ସହ ଜଡ଼ିତ ଥିଲା। ତାଙ୍କ ଜଣେ ଘନିଷ୍ଠ ସହଯୋଗୀ ମୋହମ୍ମଦ ଅହମଦ ଖାନ ବର୍ତ୍ତମାନ ଫେରାର ଅଛନ୍ତି।