fbpx

୨୦୩୫ ସୁଦ୍ଧା ଶକ୍ତିଶାଳୀ ତେଜସ ମାର୍କ-୨ ହେବ ସେନାରେ ସାମିଲ

ଯୋଧପୁର: ସ୍ୱଦେଶୀ ଓ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ମାର୍କ-୨ ବିମାନ ୨୦୨୫ରେ ପ୍ରଥମ ଉଡାଣ ଭରିବାର ସମ୍ଭାବନା ରହିଛି । ଏରୋନେଟିକ ଡେଭଲପମେଣ୍ଟ ଏଜେନ୍ସି ରାଜସ୍ଥାନର ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛି । ଏଠାରେ ତେଜସ ମାର୍କ-୨ ପ୍ରଦର୍ଶନ କରାଯାଇଛି । ଭାରତୀୟ ବାୟୁସେନା ଏହି ବିମାନକୁ ୨୦୩୫ ସୁଦ୍ଧା ନିଜ ସେନାରେ ସାମିଲ କରିବାର ଲକ୍ଷ୍ୟ ରଖିଛି । ଏଥିସହ ଏଏମସିଏକୁ ୨୦୪୦ରେ ସେନାରେ ମିଶାଇବାକୁ ଯାଉଛି ।

ଏଡିଏ ଅଧିକାରୀ ବାଜି ରାଜପୁରୋହିତ ସାମ୍ବାଦିକଙ୍କୁ କହିଛନ୍ତି କି, ତେଜସ ମାର୍କ-୨ ହେଉଛି ତେଜସ ମାର୍କ-୧ର ଆଧୁନିକ ଭର୍ସନ । ନୂଆ ଭର୍ସନରେ ଅଧିକ ଆଧୁନିକ ହତିୟାର ରହିବ । ଏଥିସହ ଏଥିରେ ଆଧୁନିକ ଏଭିଏନିକ୍ସ, ଡିଜିଟାଲ ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ରହିଛି । ଏହି ବିମାନର ଡିଜାଇନ କାମ ଶେଷ ହୋଇଛି । ୨୦୨୫ରେ ପ୍ରଥମ ତେଜସ ମାର୍କ-୨ ତାର ଉଡାଣ ଭରିବା ସମ୍ଭାବନା ରହିଥିବା ରାଜପୁରୋହିତ କହିଛନ୍ତି ।

ଏହା ବ୍ୟତୀତ ୫ମ ପିଢିର ସ୍ୱଦେଶୀ ଏୟାରକ୍ରାପ୍ଟ ଏମକାର ପ୍ରଥମ ଉଡାଣ ୨୦୨୮ ସୁଦ୍ଧା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ କହି ରଖୁ କି, ତେଜସ ହେଉଛି ଭାରତୀୟ ପ୍ରତିରକ୍ଷା ପ୍ରୟୋଗ ଶାଳାରେ ନିର୍ମିତ ବିମାନ । ଏହା ସିଙ୍ଗଲ ଇଞ୍ଜିନ ଡେଲ୍ଟା ୱିଙ୍ଗର ହାଲକା ଯୁଦ୍ଧ ବିମାନ । ଏହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ପ୍ରସ୍ତୁତ କରୁଛି । ତେଜସ ନାମକରଣ ୨୦୦୩ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ହୋଇଥିଲା । ଏହି ବିମାନର ପ୍ରଥମ ସଂସ୍କର ୨୦୧୬ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ।

Get real time updates directly on you device, subscribe now.