fbpx

CAG ରିପୋର୍ଟରେ ଆସିଲା ଭୟଙ୍କର ତଥ୍ୟ, ପୁରୁଷ ପାଉଛନ୍ତି ବିଧବା ପେନସନ୍‌

ରାଞ୍ଚି: ଝାରଖଣ୍ଡରେ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଯୋଜନାରେ ବଡ ଧରଣର ଅନିୟମିତତା ସାମ୍ନାକୁ ଆସିଛି । ଏହି ଅନିୟମିତତା ମହାଲେଖାକାର(CAG) ରିପୋର୍ଟରେ ସାମ୍ନାକୁ ଆସିଛି । ଏଠାରେ ଛାତ୍ରବୃତ୍ତି ଓ ପେନସନ୍ ସ୍କିମ୍ ଉପରେ ଅଡିଟ୍ କରାଯାଇଥିଲା ଓ ଏଥିରେ ବହୁ ତ୍ରୁଟି ପରିଲକ୍ଷିତ ହୋଇଥିଲା । ରିପୋର୍ଟ ଅନୁସାରେ ଝାଡଖଣ୍ଡରେ ସ୍କଲାରସିପ୍ ଯୋଜନା ଜରିଆରେ ଲିଷ୍ଟରେ ନାଁ ନ ଥିବା ସଂସ୍ଥାର ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଦିଆଯାଉଥିବା ବେଳେ ଏପରି ଛାତ୍ରଙ୍କୁ ମେଧାବୃତ୍ତି ଦିଆଯାଇଛି ଯେଉଁମାନେ କି ଏଥିପାଇଁ ଆଦୌ ଯୋଗ୍ୟ ନୁହଁନ୍ତି । ଏହା ବ୍ୟତିତ ପେନସନ ଯୋଜନାରେ ବି ତ୍ରୁଟି ପରିଲକ୍ଷିତ ହୋଇଛି । ପୁରୁଷଙ୍କୁ ବିଧବା ପେନସନ ଦିଆଯାଇଥିବା କଥା ସାମ୍ନାକୁ ଆସିଛି । ଅଡିଟ୍‌ରୁ ସାମ୍ନାକୁ ଆସିଥିବା ଏହି ଚିତ୍ର ବଡ ଧରଣର ଅର୍ଥନୈତିକ ଘୋଟାଲା ସଂପର୍କରେ ବୟାନ କରୁଛି ।

ବିଶେଷକରି ସଂଖ୍ୟାଲଘୁ ଛାତ୍ରଙ୍କ ଛାତ୍ରବୃତ୍ତି ଯୋଜନାରେ ବଡ ଆକାରରେ ତ୍ରୁଟି ନଜରକୁ ଆସିଛି । ଏହା ସହିତ ପେନସନ ଯୋଜନାରେ ବି ଅନିୟମିତତା ହୋଇଛି । ଝାରଖଣ୍ଡର ପଲାମୁ, ରାଞ୍ଚି, ଗୋଡା, ଚତରା, ଧାନବାଦ ଓ ପୂର୍ବ ସିଂହଭୂମ ଜିଲ୍ଲାରେ ଏହି ଅଡିଟ୍ କରାଯାଇଥିଲା ।
ମହାଲେଖାକାର ଅନୁପ ଫ୍ରାନ୍ସିସ୍ ଡୁଙ୍ଗଡୁଙ୍ଗ କହିଛନ୍ତି ସ୍କଲାରସିପ୍ ଯୋଜନା ଓ ପେନସନ ଯୋଜନାକୁ ନେଇ ଅଡିଟ୍ କରାଯାଇଥିଲା । ଜଣାପଡିଥିଲା କି ସ୍କଲାରସିପ୍ ପାଇଥିବା ଛାତ୍ରମାନଙ୍କର କୌଣସି ଡାଟାବେସ୍ ରେକର୍ଡ ନାହିଁ । ଏହାସହିତ ଜିଲ୍ଲାରେ ୨୧ ଏପରି ସଂସ୍ଥା ରହିଛି ଯାହା ମେଧାବୃତ୍ତି ଲାଗି ସୂଚୀବଦ୍ଧ ନୁହେଁ । ଏହା ଜରିଆରେ ୩୬୫ ଜଣ ଅଯୋଗ୍ୟ ଛାତ୍ରଙ୍କୁ ମେଧାବୃତ୍ତି ଦିଆଯାଇଛି । ସେହିପରି ସଂଖ୍ୟାଲଘୁ ଛାତ୍ରବୃତ୍ତି ଯୋଜନାରେ ବି ଅନିୟମିତତା ପରିଲକ୍ଷିତ ହୋଇଛି । ଏଠାରେ ୬୦% ଅପାତ୍ର ଛାତ୍ରଙ୍କୁ ମେଧାବୃତ୍ତି ଦିଆଯାଇଛି । କେବଳ ଧାନବାଦ ଜିଲ୍ଲାରେ ଛାତ୍ରବୃତ୍ତି ପ୍ରଦାନ କ୍ଷେତ୍ରରେ ୯.୯୯କୋଟି ଟଙ୍କାର ଅନିୟମିତତା ହୋଇଛି ।

ସେହିପରି ପେନସନ ଯୋଜନାରେ ମଧ୍ୟ ଅନିୟମିତତା ହୋଇଛି । ପେନସନ ୪-୪ ମାସ ବିଳମ୍ବରେ ମିଳୁଛି । ଏହା ବ୍ୟତିତ ୧୬ ଜଣ ପୁରୁଷଙ୍କୁ ବିଧବା ପେନସନ ଦିଆଯାଉଥିବାର ତଥ୍ୟ ସାମ୍ନାକୁ ଆସିଛି । ଏହା ସହିତ ମୃତ୍ୟୁ ପରେ ବି ବହୁ ମହିଳାଙ୍କୁ ପେନସନ ଦିଆଯାଉଛି ।

Get real time updates directly on you device, subscribe now.