fbpx

ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା, ଝୁନାକୁ ମୁହାଁମୁହିଁ ଜେରା ବେଳେ ଖୋଲୁନି ମେମୋରୀ ଚିପ୍ ରହସ୍ୟ,୨ଦିନରେ ଆହୁରି ଗୁମର ଉଗାରିବ କ୍ରାଇମ୍‌ବ୍ରାଞ୍ଚ

କଟକ/ରଣପୁର, (ଭାସ୍କର ନ୍ୟୁଜ୍‌) : ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଶାଣିତ କରିଛି । ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ହାସଲ କରିଥିବାବେଳେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇଙ୍କୁ ପୁଣି ତିନିଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି । ସୋମବାର ଉଭୟ ଶର୍ମିଷ୍ଠା ଓ ଝୁନାକୁ ମୁହାଁମୁହିଁ ବସାଯାଇ ଜେରା କରାଯାଇଥିବା ସୂଚନା ମିଳିଛି । ଉଭୟଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ୍‌ ମୃତ ମାନସର ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଭାଇଅନ୍ୟ ସଦସ୍ୟଙ୍କୁ ପଚରାଉଚୁରା କରିଛନ୍ତି । ଏପରିକି ଜବତ ହୋଇଥିବା ଚପଲ ଓ ଇୟରକଡ୍‌ ମାନସଙ୍କର କି ନା ସେ ସଂପର୍କରେ ମଧ୍ୟ ଚିହ୍ନଟ କରିବାକୁ କହିଥିଲେ ।

ମାନସଙ୍କ ମା’ କହିଛନ୍ତି ଯେ ଏହ ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ । ଏହି ଘଟଣାରେ କେବଳ ଶର୍ମିଷ୍ଠାଙ୍କୁ ଗିରଫ କରିଦେଲେ ଚଳିବ ନାହିଁ । ଏହି ଘଟଣା ପଛରେ ବହୁ ବଡ଼ବଡ଼ ନେତାଙ୍କର ସଂପୃକ୍ତି ରହିଛି । ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇ ଗିରଫ କରାଯିବା ଉଚିତ୍‌ ।

ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ୍‌ ମାନସଙ୍କୁ ବିଭତ୍ସଭାବେ ଶର୍ମିଷ୍ଠା ଓ ପୂର୍ବତନ ଓଆଇଏସ୍‌ ଅଧିକାରୀ ନିରଞ୍ଜନ ସେଠୀ ପ୍ରବଳ ମାଡ଼ ମାରିବା ସହ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଏହି ଘଟଣାର ତଦନ୍ତ ଚାଲୁ ରହିଛି । ରିମାଣ୍ଡ ଅବଧି ଶେଷ ହେବାପାଇଁ ଆହୁରି ଦୁଇଦିନ ବାକି ଥିବାବେଳେ ଅଭିଯୁକ୍ତଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଶା ବାନ୍ଧିଛି ।

Get real time updates directly on you device, subscribe now.