ନୂଆଦିଲ୍ଲୀ: ୦୫ ଜୁନ୍, ୨୦୨୪ । ସମୟ ୧୦ଟା ବାଜି ୫୨ ମିନିଟ୍ । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ସ୍ଥିତ କେପ୍ କୈନବେରଲ୍ ସ୍ପେସ୍ ଫୋର୍ସ ଷ୍ଟେସନ୍ରୁ ଏକ ରକେଟ୍ ଲଞ୍ଚ ହୁଏ । ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲ୍ ଜରିଆରେ ମହାକାଶକୁ ଯାତ୍ରା କରନ୍ତି ନାସାର ଦୁଇ ଅଭିଜ୍ଞ ମହାକାଶଚାରୀ କମାଣ୍ଡର ବ୍ୟାରୀ ବୁଚ୍ ଇ. ୱିଲମୋର୍ ଏବଂ ମୂଳ ଭାରତୀୟ ବଂଶୋଦ୍ଭବ କମାଣ୍ଡର ସୁନିତା ୱିଲିୟମ୍ସ । ଲଞ୍ଚ୍ ହେବାର ୨୭ ଘଣ୍ଟା ରେ ଅର୍ଥାତ୍ ଜୁନ୍ ୬ ତାରିଖରେ ଏହି ମହାକାଶ ଯାନ ସଫଳତା ପୂର୍ବକ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ପହଞ୍ଚିଯାଏ । ଗୋଟିଏ ସପ୍ତାହ ସ୍ପେସ୍ ଷ୍ଟେସନ୍ରେ ରହି ଜରୁରୀ ପରୀକ୍ଷଣ ଶେଷ କରିବା ପରେ ଏହି ଦୁଇ ମହାକାଶଯାତ୍ରୀ ଜୁନ୍ ୧୩ ସୁଦ୍ଧା ପୃଥିବୀ ପୃଷ୍ଠକୁ ଫେରିଆସିବାର ଥିଲା । କିନ୍ତୁ ୫ ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ସେମାନେ ସେଠାରେ ଫସି ରହିଛନ୍ତି । କାରଣ ଏହି ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ରହିଥିବା ଜଣାପଡିଥିଲା । ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲର ସର୍ଭିସ୍ ମଡ୍ୟୁଲର୍ ଥ୍ରଷ୍ଟରରୁ ହିଲିୟମ୍ ଗ୍ୟାସ୍ ଲିକ୍ ହେଉଥିଲା । ଯେଉଁଥିପାଇଁ ଏହାକୁ ଆଉଥରେ ବ୍ୟବହାର କରିବା ବିଲକୁଲ ନିରାଦ ନଥିଲା ।
କାରଣ ଗୋଟିଏ ମହାକାଶଯାନରେ ଅନେକ ଥ୍ରଷ୍ଟର ରହିଥାଏ । ଏହା ସାହାଯ୍ୟରେ ଯାନ ନିଜ ମାର୍ଗ ଏବଂ ବେଗକୁ ବଦଳାଇଥାଏ । ହିଲିୟମ୍ ଗ୍ୟାସ୍ ଯୋଗୁଁ ରକେଟ୍ରେ ଚାପ ବଢିଥାଏ ଏବଂ ଏହାକୁ ମଜବୁତ ରଖିଥାଏ । ତେବେ ସୁନିତା ଏବଂ ୱିଲମୋର୍ ଯେଉଁ ଷ୍ଟାରଲାଇନର୍ ମହାକାଶଯାନରେ ଯାତ୍ରା କରିଥିଲେ ସେଥିରେ ୂର୍ବରୁ ମଧ୍ୟ ଅନେକ ସମସ୍ୟା ଥିବା ଜଣାପଡିଥିଲା । ଏଥିପାଇଁ ଏହାର ଲଞ୍ଚ୍ ବା ଉତ୍କ୍ଷେପଣକୁ ଅନେକ ଥର ସ୍ଥଗିତ ମଧ୍ୟ ରଖାଯାଇଥିଲା । ଏସବୁ ପରେ ମଧ୍ୟ ଏହାକୁ ମରାମତି କରାଯାଇ ଜୁନ୍ ୫ ତାରିଖରେ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା । ତେବେ ଷ୍ଟାରଲାଇନର୍ କ୍ୟାପସୁଲ ଯଦିଓ ସଫଳତାର ସହ ସ୍ପେସ୍ ଷ୍ଟେସନ୍ରେ ପହଞ୍ଚି ଯାଇଥିଲା କିନ୍ତୁ ଏହାର ୨୫ ଦିନ ପରେ ଏହାର ୫ଟି ସ୍ଥାନରୁ ହିଲିୟମ୍ ଗ୍ୟାସ୍ ଲିକ୍ ହେଉଥିଲା । ୫ଟି ଥ୍ରଷ୍ଟର କାମନ କରିବା ବନ୍ଦ କରିଦେଇଥିଲା । ଏହା ବ୍ୟତୀତ ପ୍ରପଲେଣ୍ଟ ଭାଲ୍ଭକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନଥିଲା । ମହାକାଶରେ ଥିବା କ୍ର୍ୟୁ ମେମ୍ବରମାନେ ବି ଏହାକୁ ସଜାଡି ପାରିନଥିଲେ ।
ତେଣୁ ନାସାର ଦୁଇ ମହାକାଶଚାରୀ ବୁଚ୍ ୱିଲମୋର୍ ଏବଂ ସୁନିତା ୱିଲିୟମ୍ସ ନିର୍ଦ୍ଧାରିତ ସମୟରେ ତାଙ୍କର ମହାକାଶ ଅଭିଯାନ ଶେଷ କରିପାରିନଥିଲେ ଏବଂ ପୃଥିବୀ ପୃଷ୍ଠକୁ ଫେରିନପାରି ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ । କାରଣ ଏଭଳି ଅବସ୍ଥାରେ ବୋଇଂ ଷ୍ଟାରଲାଇନର୍ରେ ଫେରିଲେ ଏହା ପୃଥିବୀ ପୃଷ୍ଠକୁ ପହଞ୍ଚିବା ପୂର୍ବରୁ ହିଁ ଧ୍ୱଂସ ପାଇଯିବାର ଆଶଙ୍କା ରହିଥିଲା । ତେଣୁ ସେବେଠାରୁ ସୁନିତା ୱିଲିୟମ୍ସ ଏବଂ ତାଙ୍କର ସାଥୀ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ମହାକାଶରୁ କେବେ ପୃଥିବୀକୁ ଫେରିଆସିବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହା ଭିତରେ ନାସା ପକ୍ଷରୁ କୁହାଯାଇଥିଲା କି ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏବଂ ସେପ୍ଟେମ୍ୱର ସୁଦ୍ଧା ଦୁଇ ମହାକାଶଯାତ୍ରୀ ଫେରିଆସିବାର ସମ୍ଭାବନା ରହିଥିଲା । କିନ୍ତୁ ଏହା ସମ୍ଭବ ହୋଇନଥିଲା । ଏବଂ ଏହା ପରେ ଅଗଷ୍ଟ ୨୪ ତାରିଖରେ ନାସା ପକ୍ଷରୁ କୁହାଯାଇଥିଲା କି ବୁଚ୍ ୱିଲମୋର୍ ଏବଂ ସୁନିତା ୱିଲିୟମ୍ସଙ୍କୁ ଚଳିତ ବର୍ଷ ମହାକାଶରୁ ଫେରିବା ସମ୍ଭବ ହୋଇନଥିଲା ।
ତେବେ ଏହି ଦୁଇ ମହାକାଶଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନାସା ମୁଖ୍ୟ ବିଲ୍ ନେଲସନ୍ ସୂଚନା ଦେଇଥିଲେ । ସେ କହିଥିଲେ କି ଯେଉଁ ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲରେ ମହାକାଶଯାତ୍ରୀ ସ୍ପେସ୍ ଷ୍ଟେସନକୁ ଯାଇଥିଲେ ତାର ପ୍ରପଲ୍ସନ୍ ସିଷ୍ଟମ୍ ଖରା ଥିବାରୁ ଏଥିରେ ପୃଥିବୀକୁ ଫେରିବା ବିଜ୍ଜନକ । ତେଣୁ ଅନ୍ୟ ଏକ ମହାକାଶଯାନ ଜରିଆରେ ୱିଲମୋର୍ ଏବଂ ସୁନିତାଙ୍କୁ ଫେରାଇ ଆଣିବା ।ଇଁ ବ୍ୟବସ୍ଥା କରାଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏଥିପାଇଁ ସେପ୍େଟମ୍ବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାର ଥିଲା । କାରଣ ନାସା ପକ୍ଷରୁ ନିୟମିତ ମହାକାଶଯାତ୍ରୀ ରୋଟେସନ୍ ମିଶନ୍ ଅନ୍ତର୍ଗତ ଅନ୍ୟ ଏକ ମହାକାଶଯାନକୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍କୁ ପଠାଇବା ପର୍ଯ୍ୟନ୍ତ ଅପେକ୍ଷା କରିବା ଛଡା ଅନ୍ୟ ବିକଳ୍ପ ନଥିଲା ।
ଏସବୁ ଭିତରେ ମହାକାଶରେ ଫସି ରହିଥିବା ଏହି ଦୁଇ ମହାକାଶଯାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାର ତଥ୍ୟମାନ ସାମନାକୁ ଆସିବାରେ ଲାଗିଲା । ତାଙ୍କର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡୁଥିବାର ଖବର ମଧ୍ୟ ସାମନାକୁ ଆସୁଥିଲା । ଯାହାକୁ ନେଇ ଏକଥା ମଧ୍ୟ କୁହାଗଲା କି ନାସା ଜାଣିଶୁଣି ନିଜର ଦୁଇ ମହାକାଶଚାରୀଙ୍କ ଜୀବନକୁ ବିଦ ମୁହଁକୁ ଠେଲି ଦେଉଛି । କାରଣ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ଆଇଏସଏସରେ ଋଷର ମହାକାଶଯାନ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏହା ସାହାଯ୍ୟରେ ସୁନିତା ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋଙ୍ର୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇପାରିବ । କିନ୍ତୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବାରୁ ଆମେରିକା ଋଷକୁ ସାହାଯ୍ୟ ମାଗିବାକୁ ଚାହୁଁନାହିଁ । ଯାହା ଫଳରେ ଦୁଇ ମହାକାଶଚାରୀଙ୍କ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ନିକଟ ଅତୀତରେ ନାସା ଦ୍ୱାରା ଜାରି କରାଯାଇଥିବା ଫଟୋରେ ମହାକାଶରେ ଫସିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଦେଖିବାକୁ ମିଳିଥିଲା । ୫୯ ବର୍ଷୀୟା ସୁନିତାଙ୍କୁ ଏହି ଫଟୋରେ ଯେଉଁଭଳି ଅବସ୍ଥାରେ ଦେଖାଯାଇଥିଲା ସେଥିରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକଟ କରାଯାଇଥିଲା ।
କାରଣ ଏହି ଫଟୋରେ ସୁନିତାଙ୍କ ଗାଲ ଭିତରକୁ ପଶିଯିବା ସହ ଓଜନ ବହୁତ କମିଯାଇଥିବା ଭଳି ଦିଶୁଥିଲା । ଏଭଳି ଫଟୋକୁ ଦେଖିବା ପରେ ଦୀର୍ଘ ଦିନ ଧରି ମହାକାଶରେ ଫସି ରହିଥିବା ସୁନିତା ଏବଂ ବୁଚ୍ ୱିଲମୋର ସ୍ୱାସ୍ଥ୍ୟ ସମସ୍ୟା ସହିତ ସଙ୍ଘର୍ଷ କରୁଥିବା ସମସ୍ତେ ଆଶଙ୍କା ପ୍ରକାଶ କରିଥିଲେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ମତ ଦେଲେ କି ମହାକାଶରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ନଥିବାରୁ ସେଠାରେ ଦୀର୍ଘ ସମୟ ଧରି ରହିବା ଫଳରେ ହାଡ ଏବଂ ମାଂସପେଶୀ ଦୁର୍ବଳ ହୋଇପଡେ । ଏହା ସହ ଶରୀରରୁ ଜଳୀୟ ଅଂଶ କମିଯାଏ । ଫଳରେ ପୃଥିବୀ ଅପେକ୍ଷା ମହାକାଶରେ ଅଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇଯାଏ । ଯେଉଁଥିପାଇଁ ମହାକାଶ ଯାତ୍ରୀମାନେ ଏନିମିୟାର ଶିକାର ମଧ୍ୟ ହୋଇଥାନ୍ତି । ସେହିପରି ସ୍ପେସ୍ ରେଡିଏସନ୍ ପ୍ରଭାବରୁ କ୍ୟାନ୍ସର ବିଦ ମଧ୍ୟ ରହିଥାଏ । ଯଦିଓ ମହାକାଶରେ ରେଡିଏସନ୍ ସ୍ତର ଉପରେ ନାସା ନଜର ରଖିଥାଏ ତଥାପି ଅଧିକ ଲମ୍ବା ସମୟ ଧରି ଏଭଳି ତ୍ରିକୂଳ ପରିସ୍ଥିତି ଭିତରେ ରହିବା ମହାକାଶଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇବାର ଆଶଙ୍କା ରହିଛି ।
ବିଶେଷ କରି ମହାକାଶ ରହଣୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଖରା ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି । ତେଣୁ ଆଇଏସଏସରେ ଫସି ରହିଥିବା ସୁନିତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାରା ବିଶ୍ୱରେ ରହିଥିବା ତାଙ୍କର ସମର୍ଥକ ଏବଂ ପ୍ରଶଂସକ ମାନେ ଚିନ୍ତା ପ୍ରକଟ କରିଥିଲେ । କିନ୍ତୁ ଏହା ପରେ ନିଜେ ସୁନିତା ୱିଲିୟମ୍ସ ନାସାର କମ୍ୟୁନିକେସନ୍ ସେଣ୍ଟର ଜରିଆରେ ଏକ ଭିଡିଓ ଜାରି କରି ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିବା ସହ ତାଙ୍କର ଓଜନ ସାମାନ୍ୟ ବଢିଛି ବୋଲି ମଧ୍ୟ ଜଣାଇଥିଲେ । ଏହା ସହ ସେ କହିଥିଲେ କି ମହାକାଶକୁ ଆସିବା ପରେ ଲୋକଙ୍କ ମୁଣ୍ଡ ସାମାନ୍ୟ ବଡ ଦିଶିଥାଏ କାରଣ ଶରୀରର ତରଳ ପଦାର୍ଥ ସମାନ ଭାବେ ସାରା ଶରୀରରେ ବ୍ୟାପିଯାଇଥାଏ । କିନ୍ତୁ ସେ ଓ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସୁସ୍ଥ ରହିବା ପାଇଁ ତାଙ୍କୁ ନିୟମିତ ଭାବେ ବ୍ୟାୟାମ କରିବାକୁ ପଡୁଛି । ଏବଂ ନାସାର ଚିକିତ୍ସକମାନେ ତାଙ୍କ ଉପରେ ବରାବର ନଜର ରଖିଛନ୍ତି । ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ନକରିବାକୁ ପରାମର୍ଶ ଦେଇଥିଲେ ସୁନିତା ।
ତେବେ ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ହେଉଛି ୱେବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସୁଛନ୍ତି । କିନ୍ତୁ ଏଥିପାଇଁ ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ନାସା ପକ୍ଷରୁ ସ୍ପେସେକ୍ସ କ୍ରୁ ୯ ଡ୍ରାଗନ୍ ସ୍ପେସକ୍ରାଫ୍ଟ ମହାକାଶରେ ବା ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ପହଞ୍ଚି ସାରିଛି । ଆପଣଙ୍କ ମନରେ ଏକ ପ୍ରଶ୍ନ ଉଠୁଥାଇପାରେ କି ଏହି କ୍ରୁ୯ କଣ । ପ୍ରକୃତରେ କ୍ରୁ୯ ସ୍ପେସ୍ ମିଶନ୍ ହେଉଛି ନାସା ପକ୍ଷରୁ ହେଉଥିବା କମର୍ସିଆଲ୍ କ୍ରୁ ପ୍ରୋଗ୍ରାମ୍ ବା ବ୍ୟବସାୟିକ ମହାକାଶ ଅଭିଯାନ । ଏହି ପ୍ରୋଗ୍ରାମ୍ ହେଉଛି ଏଲନ୍ ମସ୍କଙ୍କ ସ୍ପେସେକ୍ସ କମ୍ପାନୀ ସହିତ ନାସା ପକ୍ଷରୁ ମିଳିତ ଭାବେ କରାଯାଉଥିବା ମହାକାଶ ଅଭିଯାନ । ସରଳ ଭାବେ କହିବାକୁ ଗଲେ କ୍ରୁ ୯ ମିଶନ୍ ହେଉଛି, ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ଆଇଏସଏସକୁ ନାସା ଏବଂ ସ୍ପେସେକ୍ସର ମିଳିତ ଭାବେ ହେଉଥିବା ୯ଟି ନିୟମିତ ଅଭିଯାନ । ଯାହାକୁ ୯ ରୋଟେସନାଲ ମିଶନ୍ ବୋଲି କୁହାଯାଉଛି । ଏହି ମିଶନ୍ ଅନୁଯାୟୀ ସେପ୍ଟେମ୍ବର ମାସରେ ସ୍ପେସେକ୍ସ କ୍ରୁ ୯ ଡ୍ରାଗନ୍ ସ୍ପେସକ୍ରାଫ୍ଟ ଲଞ୍ଚ କରାଯାଇଥିଲା ।
ଗତ ସେପ୍ଟେମ୍ବର ୨୮ ତାରିଖରେ ଫ୍ଲୋରିଡା ସ୍ଥିତ କେପ୍ କୈନବେରଲ୍ ସ୍ପେସ୍ ଫୋର୍ସ ଷ୍ଟେସନ୍ରୁ କ୍ରୁ ୯ ଡ୍ରାଗନ୍ କ୍ୟାପସୁଲକୁ ନେଇ ସ୍ପେସେକ୍ସର ଫାଲକନ୍-୯ ରକେଟ୍ ଉତ୍କ୍ଷେପଣ ହୋଇଥିଲା । ଏଥିରେ ୨ ଜଣ ମହାକାଶଚାରୀ ଆଇଏସଏସକୁ ଯାତ୍ରା କରିଥିଲେ । କ୍ରୁ ୯ ମିଶନ୍ରେ ୪ ଜଣ ମହାକାଶଯାତ୍ରୀ ଆଇଏସଏସକୁ ଯିବାର ଥିଲା । ମିଶନ୍ କମାଣ୍ଡର ଜେନା କାର୍ଡମ୍ୟାନ୍, ପାଇଲଟ୍ ନିକ୍ ହେଗ୍, ମିଶନ୍ ସ୍ପେସାଲିଷ୍ଟ ଷ୍ଟେଫାନୀ ୱିଲସନ୍ ଏବଂ ଆଲେକ୍ଜାଣ୍ଡାର ଗୋରବୁନୋଭ କ୍ରୁ ୯ ମିଶନ୍ରେ ମହାକାଶ ଯାତ୍ରା କରିଥାନ୍ତେ । କିନ୍ତୁ ପୂର୍ବରୁ ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବାକୁ ଥିବାରୁ ଏହି ମିଶନ୍ରୁ ଜେନା କାର୍ଡମ୍ୟାନ ଏବଂ ଷ୍ଟେଫାନୀ ୱିଲସନ୍ଙ୍କୁ ବାଦ୍ ଦିଆଯାଇଥିଲା । ତେଣୁ କେବଳ ନିକ୍ ହେଗ୍ ଏବଂ ଆଲେକ୍ଜାଣ୍ଡର ଗୋରବୁନୋଭ୍ଙ୍କୁ ନେଇ କ୍ରୁ୯ ଡ୍ରାଗନ୍ କ୍ୟାପସୁଲ ସେପ୍େଟମ୍ବର ୨୮ ତାରିଖରେ ମହାକାଶକୁ ଯାତ୍ରା କରିଥିଲା । ଏବଂ ତା’ ପରଦିନ ଅର୍ଥାତ୍ ଗତ ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟା ୭ଟା ବାଜି ୪ ମିନିଟ୍ରେ ଏହି ଦୁଇ ମହାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ଆଇଏସଏସରେ ପ୍ରବେଶ କରିଥିଲେ ।
ସେଠାରେ ତାଙ୍କୁ ଆଇଏସଏସ ଏକ୍ସପେଡିସନ୍-୭୨ କ୍ରୁ ପକ୍ଷରୁ ଏହି ଦୁଇଜଣଙ୍କୁ ସ୍ୱାଗତ କରାଯାଇଥିଲା । ଯେଉଁଠି ନିଜେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ସହିତ ମାଥ୍ୟୁ ଡୋମିନିକ୍, ମାଇକେଲ୍ ବ୍ୟାରେଟ୍, ଜିନେଟ୍ ଏପ୍ସ, ଡନ୍ ପେଟିଟ୍, ରୋସ୍କୋସ୍ମୋସ୍ କୋସ୍ମୋନୋଟ୍ସ, ଆଲେକ୍ଜାଣ୍ଡର ଗ୍ରେବେନକିନ୍, ଏଲେକ୍ସି ଓୱିଚିନ୍ ଏବଂ ଇୱାନ୍ ବ୍ୟାଗନଙ୍ର୍କ ଭଳି ମହାକାଶଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ କ୍ରୁ ୯ ମିଶନ୍ ଲଞ୍ଚ ପୂର୍ବରୁ ସୁନିତା ଏବଂ ବୁଚ୍ ୱିଲମୋରଙ୍କୁ ନେଇ ମହାକାଶରେ ଛାଡିଥିବା ବୋଇଂ ଷ୍ଟାରଲାଇନର୍କୁ ଆଇଏସଏସରୁ ଅଲଗା କରି ଦିଆଯାଇଥିଲା ବା ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଥିଲା । ଗତ ସେପ୍େଟମ୍ବର ୬ ତାରିଖ ସନ୍ଧ୍ୟା ୬ଟା ୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରି ଏହା ପରଦିନ ଅର୍ଥାତ୍ ରାତି ୧୧ଟା ସୁଦ୍ଧା ଭୂମଣ୍ଡଳରେ ପ୍ରବେଶ କରିଥିଲା । ଏବଂ ମଧ୍ୟରାତ୍ର ସୁଦ୍ଧା ୧୨ଟା ୧ ମିନିଟ୍ରେ ନିୟୁ ମେକ୍ସିକୋର ହ୍ୱାଇଟ୍ ସ୍ୟାଣ୍ଡ୍ସ ସ୍ପେସ୍ ହାର୍ବର୍ରେ ଲ୍ୟାଣ୍ଡ୍ କରିଥିଲା । କିନ୍ତୁ ଷ୍ଟାରଲାଇନର୍ କ୍ୟାପସୁଲ୍ ଆଇଏସଏସରୁ ଏକୁଟିଆ ଅର୍ଥାତ୍ କୌଣସି ମହାକାଶଚାରୀଙ୍କୁ ନଆଣି ଖାଲି ଖାଲି ପୃଥିବୀକୁ ଫେରିଆସିଥିଲା ।
କାରଣ ଆମେ ପୂର୍ବରୁ କହିସାରିଛୁ କି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରେ ମହାକାଶକୁ ଯାଇଥିବା ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଏଥିରେ ଫେରିବା ବିପଜ୍ଜନକ ଥିଲା । ତେବେ ଷ୍ଟାରଲାଇନର୍ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ମହାକାଶରୁ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପ୍ରେସ କନଫରେନ୍ସ କରିଥିଲେ । ଏବଂ କାହିଁକି ସେମାନେ ଷ୍ଟାରଲାଇନର୍ରେ ମହାକାଶରୁ ନଫେରି ଆଇଏସଏସରେ ଅଟକି ରହିଲେ, ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ । ତେବେ ସେ ଯାହା ହେଉ, ସ୍ପେସେକ୍ସର କ୍ରୁ ୯ ମିଶନ୍ ସଫଳ ହେବା ପରେ ଅର୍ଥାତ୍ ଡ୍ରାଗନ୍ କ୍ୟାପସୁଲ୍ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରେ ପହଞ୍ଚି ସାରିଥିବାରୁ ସୁନିତା ୱିଲିୟମ୍ସ ଏବଂ ତାଙ୍କର ସହଯୋଗୀ ପୃଥିବୀକୁ ଫେରିବା ଏକପ୍ରକାର ନିଶ୍ଚିତ ହୋଇଛି । କ୍ରୁ ୯ ମିଶନ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସ୍ପେସେକ୍ସର ଡ୍ରାଗନ୍ କ୍ୟାପସୁଲରେ ମହାକାଶକୁ ଯାଇଥିବା ଦୁଇ ମହାକାଶଚାରୀ ସେମାନଙ୍କ ଅଭିଯାନ ଶେଷ କରି ଆସନ୍ତା ଫେବ୍ରୁଆରୀରେ ଭୂପୃଷ୍ଠକୁ ଫେରିଆସିବେ । ନିକ୍ ହେଗ୍ ଏବଂ ଆଲେକ୍ଜାଣ୍ଡର ଗୋରବୁନୋଭ୍ ଏବେ ଆଇଏସଏସରେ ରହି ଗବେଷଣା କାର୍ଯ୍ୟ ଜାରି ରଖିଛନ୍ତି ।
ଆଉ ଏହା ଶେଷ ହେବା ପରେ ନିର୍ଦ୍ଧାରିତ ସମୟରେ ସେମାନେ ଫେରିବେ । ଆଉ ଫେରିବା ବେଳେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ସାଙ୍ଗରେ ଧରି ଆସିବେ । ନାସା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୫ ଫେବ୍ରୁଆରୀ ଶେଷ ସପ୍ତାହରେ କ୍ରୁ ୯ ମିଶନ୍ର ସ୍ପେସେକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ମହାକାଶରୁ ଫେରିଆସିବେ ଆଇଏସଏସରେ ଫସି ରହିଥିବା ସୁନିତା ଏବଂ ବୁଚ୍ ୱିଲମୋର । ଫେବ୍ରୁଆରୀ ୨୪ରେ କ୍ରୁ ୯ର ଡ୍ରାଗନ୍ କ୍ୟାପସୁଲ୍ ମହାକାଶରୁ ବା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରି ଏହା ପରଦିନ ଅର୍ଥାତ୍ ୨୫ ତାରିଖରେ ଭୂପୃଷ୍ଠରେ ଅବତରଣ କରିବ । ତେଣୁ ଯଦି ଯୋଜନା ଅନୁସାରେ ସବୁକିଛି ଠିକ୍ ରୁହେ, ତେବେ ପାଖାପାଖି ୬ ମାସ ହେବ ମହାକାଶରେ ଫସି ରହିଥିବା ନାସାର ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରିଆସିବେ ବୋଲି ଆଶା କରାଯାଉଛି ।