ଯାଜପୁର: ଗୋଚାଲାଣ ଭଳି ବେଆଇନ ଧନ୍ଦା ବନ୍ଦ ହେବାର ନାମ ଧରୁନି। ତେବେ ବର୍ତ୍ତମାନ ଏପରି ଏକ ଘଟଣା ଯାଯପୁରରୁ ଆସିଛି। ସୂଚନାନୁସାରେ ଗୋଚାଲାଣ ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ଅନେକ ଗାଈ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ଯାଯପୁରର ଦଶରଥପୁର ଥାନା ଝୁମ୍ପୁରୀ ଛକ ନିକଟରେ ଘଟିଛି। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ବେଳେ ସ୍ଥାନୀୟ ଲୋକେ ଫସିଥିବା ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଉଲ୍ଲେଖନୀୟ, ଅଗଷ୍ଟ ୧୧ ତାରିଖରେ ହରିଚନ୍ଦନପୁର ଥାନା କୁଲାଢାଙ୍କୁଣି ଅଞ୍ଚଳରେ ୪ଟି ପିକଅପ୍ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଟିମ୍ ପହଞ୍ଚି ଗୋଚାଲାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଗୋରୁ ଚାଲାଣକାରୀ । ଏହାର କଡ଼ା ଜବାବ ଦେଇଥିଲା ପୋଲିସ । ପୋଲିସ ଗୋରୁ ଚାଲାଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। । ଏଥିରେ ଜଣେ ଗୋରୁ ମାଫିଆ ଗୋଡରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା ।