fbpx

ବାହାନଗା ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କଲା ସିବିଆଇ: ଜାଣନ୍ତୁ କେଉଁମାନେ ଥିଲେ ସାମିଲ…

ବାଲେଶ୍ୱର: ମାସକ ପରେ ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ । କରମଣ୍ଡଳ ଦୁର୍ଘଟଣା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଏ ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଛି । ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏମାନଙ୍କର ହାତ ଥିବାରୁ ସିବିଆଇ ଗିରଫ କରିଥିବା ଜଣାଯାଇଛି ।

ଏହି ମାମଲାରେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କୁ ଗିରଫ କରିଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ଅରୁଣଙ୍କ ସହ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଛି । ଗିରଫ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ସତ୍ୟତା ଖୋଜିବାକୁ ଚେଷ୍ଟା ଜାରି ରଖିଛି ତଦନ୍ତକାରୀ ଟିମ୍ । ତେବେ ଏହି ୩ ଜଣଙ୍କ ବିରୋଧରେ କିଛି ସୁରାଗ ପାଇବା ପରେ ସିବିଆଇ ଧାରା ୩୦୪ ଏବଂ ୨୦୧ ସିଆରପିସି ଅନୁସାରେ ଏମାନଙ୍କୁ ଗିରଫ କରିଛି । କିନ୍ତୁ ଗିରଫ ନେଇ ତଦନ୍ତକାରୀ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସୂଚନା ଥାଉ କି ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଯାଇଥିଲା । ଗୋଟିଏ ସ୍ଥାନରେ ୩ଟି ଟ୍ରେନ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି । ସେପଟେ ପ୍ରାୟ ୮୧ ଜଣ ମୃତକଙ୍କର ଶବ ଚିହ୍ନଟ ହେବା ସମ୍ଭବ ହୋଇନାହିଁ ।

Get real time updates directly on you device, subscribe now.