fbpx

ବଢ଼ିବ ମମତାଙ୍କ ମୁସ୍କିଲ ! ହାଇକୋର୍ଟରେ ଯାଚିକା ଦାଖଲା କଲା ସିବିଆଇ

କୋଲକାତା: ନାରଦା କେସ ପ୍ରତିଦିନ ନୂତନ ମୋଡ ନେବାରେ ଲାଗିଛି । ଏହି କେସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିବିଆଇ କଲିକତା ହାଇକୋର୍ଟରେ ଆବେଦନ କରିଛି । ସବୁଠୁ ବଡ କଥା ଏହି ଆବେଦନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ଉଲ୍ଲେଖ କରିଛି ।

ମେ ୧୭ରେ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଟିଏମସିରୁ ଦୁଇ ମନ୍ତ୍ରୀ ସହ ତିନି ଜଣ ନେତାଙ୍କୁ ଗିରଫ କରିଥିଲା । ସିବିଆଇ ନିଜ ଆବେଦନରେ ମମତା ବାନାର୍ଜୀଙ୍କ ବ୍ୟତୀତ ଟିଏମସି ନେତା କଲ୍ୟାଣ ବାନାର୍ଜୀ ଓ ମଳୟ ଘଟକଙ୍କୁ ପକ୍ଷଭୁକ୍ତ କରିଛି । ନିଜ ଆବେଦନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ସିବିଆଇ।

ସୂଚନା ଅନୁଯାୟୀ, ସିବିଆଇର ଏହି ଆବେଦନ ଉପରେ ଆଜି ଶୁଣାଣି ହେବାକୁ ଯାଉଛି । କାମଚଳା ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ପୀଠ ମାମଲାର ଶୁଣାଣି କରିବେ । ଏହି ପୀଠ ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ , ଏକ ବିଧାୟକ ଓ ଜଣେ ପୂର୍ବତନ ନେତାଙ୍କ ଦ୍ୱାରା ଦାଖଲ ଆବେଦନର ମଧ୍ୟ ଶୁଣାଣି କରିବେ । ଏହି ସବୁ ନେତା ନିଜ ଗିରଫଦାରୀ ଉପରେ କାର୍ଟ ଦେଇଥିବା ଆଦେଶର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି । ସିବିଆଇ ଅଦାଲତ ଏହି ନେତାଙ୍କୁ ଜାମିନ ପ୍ରଦାନ କରିଥିଲା । କିନ୍ତୁ ଉଚ୍ଚ ନ୍ୟାୟାଳୟ ଜାମିନ ଆଦେଶ ଉପରେ ରୋକ୍ ଲଗାଇଥିଲେ।

ଏହି ମାମଲାରେ ସିବିଆଇ ଟିଏମସି ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫରହାଦ ହକିମ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ନେତା ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ହେଲେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଚାରି ନେତାଙ୍କୁ ଜାମିନ ପ୍ରଦାନ କରିଥିଲା । ଏହା ପରେ ସିବିଆଇ ତୁରନ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା । ନିମ୍ନ ଅଦାଲତରୁ ମିଳିଥିବା ଜାମିନ ଆଦେଶ ଉପରେ ରୋକ୍ ଲଗାଇ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ପାଇଁ ବୁଧବାର ସମୟ ନିର୍ଦ୍ଧାରିତ କରିଛନ୍ତି।

 

Get real time updates directly on you device, subscribe now.