fbpx

OPS ବାଛିବା ପାଇଁ କର୍ମଚାରୀଙ୍କୁ ଏକ ବିକଳ୍ପ ଦେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁରୁଣା ପେନସନ ଯୋଜନା (ଓପିଏସ)କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଓପିଏସରେ ସାମିଲ ହେବା ପାଇଁ ଅଖିଳ ଭାରତୀୟ ସେବା (ଏଆଇଏସ) କର୍ମଚାରୀଙ୍କୁ ପୁଣି ଥରେ ବିକଳ୍ପ ଦେବା ପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୦୩ ମସିହା ଡିସେମ୍ବର ମାସ ୨୨ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ପୂର୍ବରୁ ଯେଉଁମାନେ ଜାତୀୟ ପେନସନ ଯୋଜନା (ଏନପିଏସ)ରେ ସାମିଲ ହୋଇଥିବେ ଓ ୨୦୦୪ ମସିହା ଜାନୁଆରୀ ମାସ ୧ ତାରିଖ ପରେ ସରକାରୀ ସେବାରେ ଯୋଗ ଦେବା ସହ ଏନପିଏସରେ ସାମିଲ ହୋଇଥିବେ, ସେମାନଙ୍କୁ ନିୟମ ଅନୁସାରେ ଓପିଏସରେ ସାମିଲ କାଯିବ ।

ଇଚ୍ଛୁକ କର୍ମଚାରୀମାନେ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କର ବିକଳ୍ପ ବାଛି ପାରିବେ ବୋଲି କୁହାଯାଇଛି । ଯୋଗ୍ୟ କର୍ମଚାରୀମାନେ ୨୦୨୪ ମସିହା ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ଅର୍ଡର ଜାରି କରି ଓପିଏସର ଫାଇଦା ଉଠାଇ ପାରିବେ । ତା’ପରେ ୨୦୨୪ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ସେମାନଙ୍କର ଏନପିଏସ ଖାତାକୁ ବନ୍ଦ କରିଦିଆଯିବ ।

ଏନେଇ କାର୍ମିକ ଓ ପ୍ରଶିକ୍ଷର ବିଭାଗ ପକ୍ଷରୁ ଜୁଲାଇ ୧୩ରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ପଠାଯାଇଛି । ସେଥିରେ କୁହାଯାଇଛି, ଯେଉଁ ଏଆଇଏସ ଅଧିକାରୀମାନେ ଏନପିଏସ (ଡିସେମ୍ବର ୨୨, ୨୦୦୩) ବିଜ୍ଞପ୍ତି ପୂର୍ବରୁ ପଦ ବିରୋଧରେ ନିଯୁକ୍ତି ପାଇଛନ୍ତି ଓ ଯେଉଁମାନେ ୨୦୦୪ ମସିହା ଜାନୁଆରୀ ମାସ ୧ ତାରିଖ ପରେ ଏନପିଏସରେ ସାମିଲ ହୋଇଛନ୍ତି ସେମାନଙ୍କୁ ଏଆଇଏସ (ଡିସିଆରବି) ରୁଲ୍ସ, ୧୯୫୮ ଅଧିନରେ ଓପିଏସରେ ସାମିଲ କରିବାକୁ ଗୋଟିଏ ଥର ବିକଳ୍ପ ଦିଆଯାଉ । ପ୍ରଶାସନିକ ସେବା ପରୀକ୍ଷା ୨୦୦୩, ପ୍ରଶାସନିକ ସେବା ପରୀକ୍ଷା ୨୦୦୪ ଓ ଭାରତୀୟ ବନ ସେବା ପରୀକ୍ଷା ୨୦୦୩ ଜରିଆରେ ସିଲେକ୍ଟ ହୋଇଥିବା ଏଆଇଏସ ସଦସ୍ୟମାନେ ଏହି ବ୍ୟବସ୍ଥାରେ ସାମିଲ ହୋଇପାରିବେ ବୋଲି ଚିଠିରେ କୁହାଯାଇଛି ।

Get real time updates directly on you device, subscribe now.