୧୪ ଟି ରାଜ୍ୟକୁ ୭,୧୮୩.୪୨ କୋଟି ରାଜସ୍ୱ ନିଅଣ୍ଟ ଅନୁଦାନ ପ୍ରଦାନ କଲେ କେନ୍ଦ୍ର ସରକାର

ନୁଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାର ରାଜସ୍ୱ ନିଅଣ୍ଟ ଅନୁଦାନ ରୂପେ ଆନ୍ଦ୍ର ପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପଞ୍ଜାବ ଭଳି ୧୪ଟି ରାଜ୍ୟକୁ ୭,୧୮୩.୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟମାନଙ୍କୁ ପୋଷ୍ଟ ଡିଭୋଲ୍ୟୁସନ୍ ରାଜସ୍ୱ ନିଅଣ୍ଟ(ପିଡିଆରଡି) ପାଇଁ ଅର୍ଥ ମନ୍ତ୍ରଣାଳୟ ଏହି ଟଙ୍କା ରିଲିଜ କରିଛି। ଅନୁଦାନର ଏହା ହେଉଛି ଦ୍ୱିତୀୟ ମାସିକ କିସ୍ତି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଏହି ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ର ମନ୍ତ୍ରଳାୟ କହିଛି ।

୨୦୨୨ରୁ ୨୦୨୩ ମଧ୍ୟରେ ପୋଷ୍ଟ ଡିଭୋଲ୍ୟୁସନ୍ ରାଜସ୍ୱ ନିଅଣ୍ଟ ପାଇଁ ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟର ନାମ ପଞ୍ଚଦଶ ଅର୍ଥ କମିଶନ ସୁପାରିସ କରିଛନ୍ତି ।

ପଞ୍ଚଦଶ ଅର୍ଥ କମିଶନ ୨୦୨୨-୨୩ ବର୍ଷ ପାଇଁ ୧୪ ରାଜ୍ୟକୁ ୮୭,୨୦୧ କୋଟିର ରାଜସ୍ୱ ନିଅଣ୍ଟ ଅନୁଦାନ ଦେବାକୁ ସୁପାରିସ କରିଛନ୍ତି । ଏହି ଅର୍ଥ ୧୨ ଟି ସମାନ ମାସିକ କିସ୍ତିରେ ଅର୍ଥ ମନ୍ତ୍ରଣାଳୟ ସୁପାରିଶ କରାଯାଇଥିବା ରାଜ୍ୟକୁ ଅନୁଦାନ ରୂପେ ପ୍ରଦାନ କରିବ । ୨୦୨୨-୨୩ ବର୍ଷରେ ରାଜ୍ୟକୁ ଦିଆଯାଇଥିବା ରାଜସ୍ୱ ନିଅଣ୍ଟ ଅନୁଦାନର ମୋଟ ପରିମାଣ ୧୪,୩୬୬.୮୪ କୋଟି ବୃଦ୍ଧି ପାଇଛି ।

କମିଶନଙ୍କ ସୁପାରିସ କ୍ରମେ ୨୦୨୦-୨୧ରୁ ୨୦୨୫-୨୬ ଏହି ସମୟ ମଧ୍ୟରେ ରାଜ୍ୟର ରାଜସ୍ୱ ଏବଂ ବ୍ୟୟ ଆକଳନ ମଧ୍ୟରେ ବ୍ୟବଧାନକୁ ପୁରଣ କରିବା ଲାଗି କେନ୍ଦ୍ର ସରକାର ଏହି ଅର୍ଥ ପ୍ରଦାନ କରିବେ ।