fbpx

ଭାରତ-ପାକିସ୍ତାନ ସୀମାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି: ମହାରାଷ୍ଟ୍ରରୁ LoCକୁ ଯିବ ତାଙ୍କ ପାଦ ଚିହ୍ନ ଥିବା ମାଟି

Advertisement

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ସମଗ୍ର ଦେଶର ଗର୍ବ-ଗୌରବ ଏବଂ ତାଙ୍କୁ ଦେଖି ଅନେକ ଯୋଦ୍ଧାକୁ ପ୍ରେରଣା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଏକ ଏନଜିଓ ‘ଆମହି ପୁଣେକର (ଭି ପୁଣେକର) ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଏନଜିଓ ଅନୁଯାୟୀ, ଏହାର ଉଦ୍ଦେଶ୍ୟ ହେଉଛି ଶତ୍ରୁମାନଙ୍କ ସହିତ ଲଢ଼ୁୁଥିବା ସୈନିକମାନେ ମୂର୍ତ୍ତି ଦେଖିବା ପରେ ଛତ୍ରପତି ଶିବାଜୀ ମହାରାଜଙ୍କ ଆଦର୍ଶ ଏବଂ ନୈତିକ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ହେବା ନିଶ୍ଚିତ କରିବା । ଏହା ସହିତ ସୈନିକମାନେ ହିନ୍ଦୁ ରାଜାଙ୍କ ସାହସିକତାକୁ ମନେ ପକାନ୍ତି ଏବଂ ଶତ୍ରୁମାନଙ୍କ ସହିତ ଲଢ଼ିବା ପାଇଁ ପ୍ରେରଣା ପାଆନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଶ୍ମୀରର କିରଣ ଏବଂ ତାଙ୍ଗଧର-ଟିଟୱାଲ ଉପତ୍ୟକା ଠାରେ ଦୁଇଟି ସ୍ଥାନରେ ନିୟନ୍ତ୍ରଣ ରେଖା ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । କାଶ୍ମୀରର କୁପୱାଡ଼ା ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ସାଗର ଦତ୍ତତ୍ତ୍ରେୟ ଡୋଇଫୋଡେଙ୍କ ଅନୁମତି କ୍ରମେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଛତ୍ରପତି ଶିବାଜୀ ମହାରାଜ ଅଟକେପର ସ୍ମାରକ ସମିତି ମୁଖ୍ୟ ଅଭୟରାଜ ଶିରୋଲେ ଏବଂ ‘ଭି ପୁଣେକର’ ଏନଜିଓ ସଭାପତି ହେମନ୍ତ ଯାଦବ ଏହି ଯୋଜନା କରିଛନ୍ତି ।

ହେମନ୍ତ ଯାଦବ କହିଛନ୍ତି, “ସ୍ଥାପନ କାର୍ଯ୍ୟ ପାଇଁ ଭୁମି ପୂଜନ ମାର୍ଚ୍ଚ ଶେଷ ସୁଦ୍ଧା କରାଯିବ । ଶିବାଜୀଙ୍କ ପାଦଚିହ୍ନ ଦ୍ୱାରା ପବିତ୍ର ହୋଇଥିବା ରାୟଗଡ, ତୋରାନା, ଶିବନେରୀ, ରାଜଗଡ ଏବଂ ପ୍ରତାପଗଡ ଦୁର୍ଗରୁ ମୃତ୍ତିକା ଓ ଜଳକୁ ଭୂମି ପୂଜନ ପାଇଁ କାଶ୍ମୀରକୁ ନିଆଯିବ । ‘ଆମି ପୁଣେକର’ ଏହି କାମ କରିବ ।

ଅଭୟରାଜ ଶିରୋଲେ କହିଛନ୍ତି ଯେ, ‘ଛତ୍ରପତି ଶିବାଜୀ ମହାରାଜ ତାଙ୍କ ରଣନୀତି ଏବଂ ସାହସିକ କାର୍ଯ୍ୟ ଦ୍ୱାରା ଶତ୍ରୁମାନଙ୍କୁ ତଡ଼ି ଦେଇଥିଲେ । ଦୁନିଆର ବିଭିନ୍ନ ଦେଶ ତାଙ୍କ ଯୁଦ୍ଧ କୌଶଳ ଅନୁସରଣ କରନ୍ତି । ଶିବାଜୀଙ୍କ ଆଦର୍ଶ ଏବଂ ପ୍ରତିମୂର୍ତ୍ତି ମାଧ୍ୟମରେ ଭାରତୀୟ ସୈନିକମାନଙ୍କୁ ପ୍ରେରଣା ଦେବା ପାଇଁ ଭାରତ-ପାକିସ୍ତାନ ସୀମାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ।’

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୦୨୨ ରେ ମରାଠା ରେଜିମେଣ୍ଟ ଦ୍ୱାରା ଜାମ୍ମୁ କାଶ୍ମୀରରେ ଛତ୍ରପତି ଶିବାଜୀ ମହାରାଜଙ୍କର ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ସମୁଦ୍ର ପତ୍ତନଠାରୁ ୧୪୮୦୦ ଫୁଟ ଉଚ୍ଚରେ ଏଲଓସି ନିକଟରେ ଏହି ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ଥାପନ କରାଯାଇଛି । ଏବେ ପୁଣେ ସ୍ଥିତ ଅଣ ସରକାରୀ ସଙ୍ଗଠନ ଦ୍ୱାରା ଆଉ ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ।

Get real time updates directly on you device, subscribe now.