fbpx

ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବେ ପିଲା

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରିଛନ୍ତି। ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ। ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି।

ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ । ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି ଯେପରି ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନ.ସି.ସି. ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ICT Smart Learning Centre, ବିଜ୍ଞାନ ପରୀକ୍ଷାଗାର, ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ, Amphitheatre, ସୁଦୃଶ୍ୟ ବଗିଚା, Sports Courts, Open Gym, Solar Lighting, Solar Water Supply, Water Harvesting System ଆହୁରି ଅନେକ ସୁବିଧା ରହିଛି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହି ଆସିଛି । ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ଲକ୍ଷ୍ମୀ ଯୋଜନା ହେଉ- ସବୁ କାର୍ଯ୍ୟକ୍ରମ ମୁଁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ କରି ଆସିଛି।

ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି। ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍‌ ନୁହେଁ । ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ । ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ। ପିଲାଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ୫ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ।

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଥିଲା । ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି । କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସମାରୀ ଟାଙ୍ଗୁଲୁ ଏହି ଶିକ୍ଷା ସୌଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ୫ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ। ସେହିପରି ମାଲକାନଗିରି ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ।

Get real time updates directly on you device, subscribe now.