fbpx

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ମମତା! ଜାଣନ୍ତୁ କ’ଣ ପାଇଁ ଓ କେବେ

ନୂଆଦିଲ୍ଲୀ: କୁହାଯାଏ, ରାଜନୀତିରେ କାଲି ଯିଏ ଶତ୍ରୁ, ଆଜି ସିଏ ମିତ୍ର । କେତେବେଳେ କ’ଣ ଘଟିବ ତାହା କହିବା ମୁସ୍କିଲ୍ । ଗୋଟିଏ ରାତି ମଧ୍ୟରେ ଦେଶର ତଥା ରାଜ୍ୟର ରାଜନୀତିକ ପାଣିପାଗ ପରିବର୍ତ୍ତନ ହୋଇଯାଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ୧୧୫ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ରାତି ଅଧରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ପୁଷ୍କର ସିଂ ଧାମି । ଗତ ୪ ମାସ ମଧ୍ୟରେ ଉତ୍ତରାଖଣ୍ଡରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ତୀରଥ ସିଂଙ୍କ ଅଚାନକ ରାତିଅଧିଆ ଇସ୍ତଫା ପଛର ରହସ୍ୟ କ’ଣ । ଏହାକୁ ଅନେକ ବିଜେପିର ମମତା ଦମନ ଅଭିଯାନ ବୋଲି ବିବେଚନା କରୁଛନ୍ତି ।

ଭାରତୀୟ ସମ୍ବିଧାନର ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେକୌଣସି ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବାକୁ ପଡ଼ିବ । କରୋନା ହେଉ ବା ନିର୍ବାଚନ ଆୟୋଗଙ୍କ ତ୍ରୁଟି ପାଇଁ ହେଉ, ଉତ୍ତରାଖଣ୍ଡରେ ନିର୍ବାଚନ ହୋଇ ନପାରିବାରୁ ଅନ୍ୟ ପନ୍ଥା ନପାଇ ତୀରଥ ସିଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କରୋନାରେ ୪ଟି ରାଜ୍ୟ ସହ ୧ଟି କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଇ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ତେଣୁ ନିର୍ବାଚନ ଆୟୋଗ ପୁଣି ଥରେ ଉତ୍ତରାଖଣ୍ଡରେ ନିର୍ବାଚନ କରାଇ, ଭୋଟ ପ୍ରଚାରରେ ଭିଡ଼କୁ ନିମନ୍ତ୍ରଣ କରି ସମାଲୋଚନାର ଶିକାର ହେବାକୁ ଚାହୁଁ ନଥିଲେ । ସେଥିପାଇଁ ଉତ୍ତରାଖଣ୍ଡରେ ନିର୍ବାଚନ କରୋନା ସମୟରେ କରାଗଲା ନାହିଁ ବୋଲି କୁହାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁଇମାସ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଦିଦି ବନାମ ମୋଦି ଫାଇଟ୍ ବିଷୟରେ ସମସ୍ତେ ଜାଣିଥିବେ । ତୀରଥ ସିଂଙ୍କୁ ହଟାଇବା ପରେ ବିଜେପିର ପରବର୍ତ୍ତୀ ନିଶାଣରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଗତ ବିଧାନସଭାରେ ନିର୍ବାଚନରେ ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥର ନେବାର ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ, ନଚେତ୍ ସେ ନିଜର ପଦ ହରାଇବେ । ଗତ ମେ ମାସ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ନିୟମ ଅନୁଯାୟୀ, ମମତାଙ୍କୁ ଆସନ୍ତା ନଭେମ୍ବର ମାସ ୫ ତାରିଖ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଇତିମଧ୍ୟରେ ୨ ମାସ ବିତିଯାଇଥିବା ବେଳେ ଆଉ ବାକି ଅଛି ମାତ୍ର ୪ ମାସ ସମୟ । ଯଦି ଉତ୍ତରାଖଣ୍ଡରେ କରୋନାରେ ନିର୍ବାଚନ ହେଲା ନାହିଁ, ତେବେ ପଶ୍ଚିମବଙ୍ଗରେ ମଧ୍ୟ ହେବ ନାହିଁ । ଫଳରେ ବାଧ୍ୟହୋଇ ମମତା ଇସ୍ତଫା ଦେଇ ଆଉ ଜଣେ ତାଙ୍କର ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ବାଧ୍ୟ ହେବେ । ଏହା ବିଜେପିର ସୁଚତୁର ଗୋଟିଚାଳନା ବୋଲି ରାଜନୀତି ବିଶାରଦମାନେ ଅନୁମାନ କରୁଛନ୍ତି । ଯଦି ତୀରଥ ସିଂ ଇସ୍ତଫା ଦେଇ ନଥାନ୍ତେ, ଆଉ ମମତା ଭବିଷ୍ୟତରେ ହଟିଥାନ୍ତେ, ତେବେ ବିଜେପିର ପ୍ରତିଶୋଧାତ୍ମକ ରାଜନୀତି ପଦାରେ ପଡ଼ିଥାନ୍ତା, ଯାହା ମୋଦିଙ୍କ ଭାବମୂର୍ତ୍ତିକୁ କିଛିମାତ୍ରାରେ ହ୍ରାସ କରିଦେଇଥାନ୍ତା । ତେଣୁ ତୀରଥଙ୍କୁ ଢାଲ କରି ବିଜେପି ଜନତାଙ୍କୁ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ତଥା ସାମ୍ବିଧାନିକ ନିୟମ ବିଷୟରେ ଅବଗତ କରାଇବାକୁ ଚାହୁଁଛି । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଲକ୍ଷ୍ୟରେ ରହିଛି ବିଜେପି । ତେବେ ମମତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାରେ ସଫଳ ହେବ ନା ମମତା ମୁଖ୍ୟମନ୍ତ୍ରୀ ପଦରେ ରହିବେ, ତାହା ଉପଯୁକ୍ତ ସମୟ ଆସିଲେ ଜଣାପଡ଼ିବ ।

Get real time updates directly on you device, subscribe now.